ଭୁବନେଶ୍ୱର: ଚଳିତ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବର ଲୋକସଭା କ୍ଷେତ୍ର ଅଧୀନସ୍ଥ ୫ଟି ନିର୍ବାଚନମଣ୍ଡଳୀରେ ବ୍ୟବହାର ହେବାକୁ ଥିବା ଇଭିଏମ୍‌ଗୁଡ଼ିକୁ ଆଜି ଖୋର୍ଦ୍ଧାସ୍ଥିତ ପଣ୍ୟାଗାରରୁ କଡ଼ା ସୁରକ୍ଷା‌ ବ୍ୟବସ୍ଥା ଭିତରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମ୍‌କୁ ଅଣାଯାଇଛି। ଏହାକୁ ୨୪ ଘଣ୍ଟିଆ ସୁରକ୍ଷା, ସିସିଟିଭି ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସଶସ୍ତ୍ର ପୁଲିସ କର୍ମଚାରୀ ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ମୁତୟନ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ରାଣ୍ଡାମାଇଜେସନ ପରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଓ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ଇଭିଏମ୍‌ଗୁଡ଼ିକୁ ଏଠାକୁ ଅଣାଯାଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ’ ୨୫ରେ ନିର୍ବାଚନ ହେବ। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୯୦୭ଟି ବୁଥ୍‌ ଥିବାବେଳେ ୧୧୧- ଜୟଦେବ, ୧୧୨- ଭୁବନେଶ୍ୱର ମଧ୍ୟ, ୧୧୩- ଭୁବନେଶ୍ୱର ଉତ୍ତର, ୧୧୪- ଭୁବନେଶ୍ୱର ଏକାମ୍ର, ୧୧୫- ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ୧୧୬୬ଟି ମତଦାନ କେନ୍ଦ୍ର ରହିଛି। ଏହି ୧୧୬୬ଟି ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳରେ ୬୫୮ଟି ଏବଂ ଗ୍ରାମାଞ୍ଚଳରେ ୫୦୮ଟି ବୁଥ ରହିଛି। ଇଭିଏମ୍‌ ଓ ଭିଭିପ୍ୟାଟ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ୫ଟି ଫ୍ଲୋରରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଦୁଇଟି ଲେଖାଏ ଷ୍ଟ୍ରଙ୍ଗରୁମ ବ୍ୟବସ୍ଥା ହୋଇଛି। ଗୋଟିଏ ଲୋକସଭା ଓ ଅନ୍ୟଟି ବିଧାନସଭା କ୍ଷେତ୍ର ପାଇଁ ଷ୍ଟ୍ରଙ୍ଗରୁମ ରହିଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଏହି ଷ୍ଟ୍ରଙ୍ଗରୁମ ନିକଟରେ ୨୪ ଘଣ୍ଟିଆ ଉପସ୍ଥିତ ରହିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଭୋଟ୍‌ ଗଣତି ଯାଏ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ। ଆସନ୍ତା ୩ରୁ ୪ ମାସ ପର୍ଯ୍ୟନ୍ତ ଏହି ରେକଡିଂ ରହିବ। ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଡବଲ ଲକ୍‌ କରାଯାଇଛି। ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଇଭିଏମ୍‌ ଏବଂ ଭିଭିପ୍ୟାଟ ମେସିନ୍‌ ମହଜୁଦ୍ ଅଛି ବୋଲି ଜିଲ୍ଲାପାଳ ଶ୍ରୀ ରଣା କହିଛନ୍ତି।