ଶତାଧିକ ସ୍ଥାନରେ ଇଭିଏମ୍ ଓ ଭିଭିପାଟରେ ଯାନ୍ତ୍ରିକ ତ୍ରୁଟି ଅଭିଯୋଗ: ବିଳମ୍ବରେ ଆରମ୍ଭ ହୋଇଛି ମତଦାନ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ସହ ଶତାଧିକ ବୁଥରେ ଇଭିଏମ ଓ ଭିଭିପାଟ୍ ମେସିନରେ ତ୍ରୁଟି ଦେଖାଯିବା ଖବର ଆସିଛି । ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟଦାନ ଆରମ୍ଭ ହେଉଥିବା ବେଳେ ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମ୍ରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି। ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି, ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଆଜି ସକାଳୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ବୁଥ୍ରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବିତ ହେବାରେ ଲାଗିଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁରର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଲିର ବୁଥ୍ ନମ୍ବର ୩୮ରେ ଲୋକସଭା ଭିଭିପିଏଟି କାମ କରୁ ନ ଥିବାରୁ ଲୋକେ ଭୋଟ୍ ଦେବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଳେ । ଝଙ୍କରପାଲିର ବୁଥ୍ ନମ୍ବର ୩୬ ଓ ୩୭ରେ ଇଭିଏମ୍ କାମ କରୁ ନ ଥିବାରୁ ପୋଲିଙ୍ଗ୍ ପାର୍ଟି ଏହାକୁ ସଜାଡ଼ିବା ଲାଗି ଉଦ୍ୟମ କରୁଥିବା ଖବର ମିଳିଛି। ସେହିପରି ରେଢ଼ାଖୋଲର ହୁମା ଠାରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ମତଦାନ ହୋଇ ପାରୁ ନାହିଁ। କୁଚିଣ୍ଡାର କତରାପାଲିର ୧୨୨ ନମ୍ବର ବୁଥ୍ରେ ବି ଇଭିଏମ୍ କାମ କରୁନାହିଁ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଇଭିଏମ ଅଚଳ ହେବା ଖବର ମିଳିଛି। ଭୁବନେଶ୍ୱର ଉତ୍ତର ଅନ୍ତର୍ଗତ ମରିଚିଆର ବୁଥ୍ ନମ୍ବର ୧୦ରେ ଇଭିଏମ୍ ତ୍ରୁଟି ସଜଡ଼ା ଯିବା ପରେ ସେଠାରେ ପ୍ରାୟ ୪୦ ମିନିଟ୍ ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।


କଟକ ସହରର ରାଜାବଗିଚାରେ ବୁଥ୍ ନମ୍ବର ୧୭୯ ଏବଂ ବାଦାମବାଡ଼ି ନିଉ କଲୋନିର ୧୬୯ ରେ ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ଘଟିଛି।
ସେହିପରି କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୩୬, ଖୋର୍ଦ୍ଧା ଅନ୍ତର୍ଗତ ବେଗୁନିଆର ବୁଥ୍ ନମ୍ବର ୩୪ ଓ ୩୬ ଏବଂ ଜଟଣୀର ୮୧, ୮୨, ୮୩ , ଆନନ୍ଦପୁର ଅଞ୍ଚଳର ପୁରୁଣାବାନ୍ଦଗୁଡ଼ାର ବୁଥ୍ ନମ୍ବର ୨୮୧, ସରଳା ଅଞ୍ଚଳ ଖପରାଖାଇର ବୁଥ୍ ନମ୍ବର ୯୦, କେନ୍ଦୁଝର ମ୍ୟୁନିସିପାଲିଟିର ବୁଥ୍ ନମ୍ବର ୨୨୧, ୨୪୩ ଓ ୨୫୫ ବୁଥ୍ରେ ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ରେ ତ୍ରୁଟି ଥିବାରୁ ଭୋଟ୍ ଗ୍ରହଣ କରି ହେଉ ନ ଥିବା ଖବର ମିଳୁଛି।
ଢ଼େଙ୍କାନାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ କାମାକ୍ଷାନଗରର ୧୯ ନଂ ବୁଥ୍, ଚମ୍ପୁଆର ୨୫ ନଂ, ପୁରୀ ଜିଲ୍ଲା ବ୍ରହ୍ମଗିରିର ୧୫୪ ନଂ ଓ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୬ଟି ବୁଥରେ ଇଭିଏମ ଅଚଳ ହୋଇପଡ଼ିଥିବା ସୂଚନା ରହିଛି।
ଏ ପର୍ଯ୍ୟନ୍ତ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ୧୨ଟି ସ୍ଥାନରେ ଇଭିଏମ୍ ତ୍ରୁଟି ପରିଲକ୍ଷିତ ହୋଇଛି। ଚମ୍ପୁଆର ମଡେଲ୍ ବୁଥ୍ରେ ବି ତ୍ରୁଟି ଦେଖାଦେଇଛି। ସେହିପରି ପାଟଣାରେ ଇଭିଏମ୍ରେ ମଧ୍ୟ ତ୍ରୁଟି ଦେଖାଦେଇଛି।
ଇଭିଏମ୍ ତ୍ରୁଟି ଯୋଗୁଁ ଅନଗୁଳ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତର ୫ ନମ୍ବର ବୁଥ୍, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ୍ର ଘୋଷର ଗ୍ରାମରେ ଭୋଟ୍ ଦିଆ ଯାଇ ପାରୁ ନାହିଁ। ଅନଗୁଳର ୨୬ ନମ୍ବର ବୁଥ୍ରେ ଇଭିଏମ୍ ତ୍ରୁଟି ଯୋଗୁଁ ୩୫ ମିନିଟ୍ ବିଳମ୍ବରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୨୪ରେ ଇଭିଏମ୍ ଲଗାଇବାରେ ବିଳମ୍ବ ଯୋଗୁଁ ନିର୍ଦ୍ଧାରିତ ସମୟ ଠାରୁ ୩୦ ମିନିଟ୍ ବିଳମ୍ବରେ ମତଦାନ ହୋଇଛି। ହେମସୁରପଡ଼ା ୨୯ ନମ୍ବର ବୁଥ୍ରେ ମଧ୍ୟ ଇଭିଏମ୍ ଅଚଳ ହୋଇ ପଡ଼ିଛି।
ଢେଙ୍କାନାଳର ହିନ୍ଦୋଳର ବୁଥ୍ ନମ୍ବର ୨୩୨, ମ୍ୟୁନିସିପାଲିଟିର ବୁଥ୍ ନମ୍ବର ୧୯୩, ୧୯୪ ଇଭିଏମ୍ ଅଚଳ ଯୋଗୁଁ ଭୋଟ୍ ଗ୍ରହଣ କରି ହେଉନାହିଁ।


ଦେବଗଡ଼ର ୩ଟି ବୁଥ୍ରେ ଇଭିଏମ୍ ଅକାମି ହୋଇଥିବାରୁ ଭୋଟ୍ ଗ୍ରହଣ ହୋଇ ପାରୁନାହିଁ। ଦେବଗଡ଼ର ବୁଥ୍ ନମ୍ବର ୮୯, ୧୧୦, ୨୭୫ ଓ ୩୧୦ରେ ବି ଇଭିଏମ୍ ଚାଲୁ ନ ଥିବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ଦେଖାଦେଇଛି।
ପୁରୀର ଗଦାଧର ସ୍କୁଲ୍ରେ ଖୋଲିଥିବା ବୁଥ୍ ନମ୍ବର ୧୪୬, ବ୍ରହ୍ମଗିରିର ବାଲିପାଟପୁରରେ ୫ ନମ୍ବର ବୁଥ୍ରେ ବି ଇଭିଏମ୍ ଅଚଳ ହୋଇ ଯାଇଛି।

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବରସାହି ପଞ୍ଚାୟତ ଅନ୍ତର୍ଗତ ୧୫ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଭୋଟ୍‌ ଗ୍ରହଣରେ ବାଧା। ୨ ଘଣ୍ଟା ବିତିଯାଇଥିଲେ ବି ଭୋଟ୍‌ ଗ୍ରହଣ ହୋଇ ପାରୁ ନାହିଁ।

ଇଭିଏମ୍‌ ତ୍ରୁଟି ଯୋଗୁଁ ଖଣ୍ଡପଡ଼ାର କୋସ୍‌କାର ୧୫ ନମ୍ବର ଓ କଣ୍ଟିଲୋର ୩୨ ନମ୍ବର ବୁଥ୍‌ରେ ବିଳମ୍ବରେ ମତଦାନ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ୧୯୯ ନମ୍ବର ବୁଥ୍‌ରେ ଇଭିଏମ୍‌ ମେସିନ୍‌ ଅଚଳ।

ତେବେ ବହୁ ବୁଥରେ ଇଭିଏମ୍ ସଜଡ଼ା ଯାଇ ମତଦାନ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର