ଖୋଲା ହେଲା ଇଭିଏମ ଷ୍ଟ୍ରଙ୍ଗରୁମ : ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର କାଗଜପତ୍ର ହାଇକୋର୍ଟକୁ ଗଲା

କୋରାପୁଟ : ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ସଂକ୍ରାନ୍ତୀୟ ଆବଶ୍ୟକ କାଗଜପତ୍ର ହାଇକୋର୍ଟରେ ଦାଖଲ କରିବା ପାଇଁ ଆଜି ଇଭିଏମ ଷ୍ଟ୍ରଙ୍ଗରୁମ ଖୋଲା ହୋଇଛି। ପୂର୍ତ୍ତ ବିଭାଗ ଡିଭିଜନ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଓ ଭିଭିପାଟ ଷ୍ଟ୍ରଙ୍ଗରୁମ ଖୋଲା ଯାଇ ଏହି କାଗଜପତ୍ର ବାହାର କରାଯାଇଥିଲା। ପରେ ଏହା ହାଇକୋର୍ଟକୁ ପଠାଇବା ନେଇ ବ୍ୟବସ୍ଥା କରାଯାଇଛି। ଆଜି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଉପଜିଲ୍ଲାପାଳ ଲଲିତ କୁମାର କହଁର, ଲକ୍ଷ୍ମୀପୁରର କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକା, ବିଧାୟକ ପ୍ରଭୁ ଜାନୀଙ୍କ ପ୍ରତିନିଧି ନାରାୟଣ ବିଶୋୟୀ ଓ ଆଇନଜୀବୀ ବିଦ୍ୟାଧର ସାହୁଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ ଖୋଲାଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫର୍ମ ୧୭-ସି ଓ ଫଳାଫଳ ସିଟ ବାହାର କରାଯାଇଥିଲା।

ଏଥିନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳିର ଫର୍ମ ୧୭-ସି ଓ ଫଳାଫଳ ସିଟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ସେଥିପାଇଁ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗରୁମ ଖୋଲାଯାଇଥିଲା ଓ ନଥିପତ୍ର ହାଇକୋର୍ଟରେ ଦାଖଲ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସୂଚନା ଅନୁସାରେ, ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ଓ ଫର୍ମ ୧୭-ସି ପାର୍ଟ ୧ ମିଳି ନ ଥିବାରୁ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସେହିପରି ଏହି ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତିର ଜଣେ ପ୍ରାର୍ଥିନୀ ନିର୍ବାଚନରେ ଭାଗ ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ଏବେ ହାଇକୋର୍ଟରେ ଚାଲୁଛି।

ସମ୍ବନ୍ଧିତ ଖବର