ଭୁବନେଶ୍ବର : ଆସନ୍ତା ପୌର ନିର୍ବାଚନ ପାଇଁ ଦୁଇଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ପ୍ରଭୃତି ୧୫ଟି ଜିଲ୍ଲାରୁ ଆସିଥିବା ‘ମାଷ୍ଟର ଟ୍ରେନର୍‌’ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଆସନ୍ତାକାଲି ଅବଶିଷ୍ଟ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନର୍‌ମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟ୍‌ ଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ। ଏହି ମାଷ୍ଟର ଟ୍ରେନର୍‌ମାନେ ପ୍ରଶିକ୍ଷଣ ପାଇବା ପରେ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ତାଲିମ୍‌ ପ୍ରଦାନ କରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଶୁଭାରମ୍ଭ କରିଥିବା ବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର, ଆଇନ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍ସନ୍‌ ଅଧିକାରୀ ଉତ୍ତମ ପରିଡ଼ା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡରେ ଥିବା ୪୫୮୪ଟି ବୁଥ୍‌ରେ ଭୋଟର୍‌ମାନେ ମତଦାନ କରିବେ। ପ୍ରତ୍ୟେକ ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ। ଗୋଟିଏ କାଉନ୍‌ସିଲର/କର୍ପୋରେଟର୍‌ଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅନ୍ୟଟି ଅଧ୍ୟକ୍ଷ/ମେୟରଙ୍କ ପାଇଁ ମତଦାନ ଉଦ୍ଦେଶ୍ୟରେ ବ୍ୟବହାର ହେବ। ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍‌ ପୌର ନିର୍ବାଚନରେ ବ୍ୟବହାର କରାଯିବ।