ତଦନ୍ତ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଇଥିଲେ ଅତିରିକ୍ତ ରାଜସ୍ବ ନୀରିକ୍ଷକ; କୋର୍ଟରୁ ମିଳିଲା ୩ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ପୂର୍ବପୁରୁଷ ନାଁରେ ଥିବା ଜମିର ମାଲିକାନାସତ୍ତ୍ବ ପରିବର୍ତ୍ତନ ପାଇଁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର  କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଗୁଣୁପୁର ତହସିଲର ମଛଖୁନି ରାଜସ୍ବ ସର୍କଲର ଅବସରପ୍ରାପ୍ତ ଏଆରଆଇ ସୁନାକର ରାଉତଙ୍କୁ  ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୩ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୪ ମସିହା ନଭେମ୍ବର ମାସରେ ରାୟଗଡା ଜିଲ୍ଲା ଗୁଣୁପର ବ୍ଲକର ମଛଖୁନି ରାଜସ୍ବ ସର୍କଲର ଅବସରପ୍ରାପ୍ତ ଏଆରଆଇ ସୁନାକର ରାଉତ ପ୍ରପୁଲ୍ଲ କୁମାର କାର୍ଜୀଙ୍କ ପୂର୍ବପୁରୁଷ ନାଁରେ ଥିବା ଜମିର ମାଲିକାନାସତ୍ତ୍ବ ପରିବର୍ତ୍ତନ କରି ତାଙ୍କ ନାଁରେ ମାଲିକାନାସତ୍ତ୍ବ କରିବା ପାଇଁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଗୁଣୁପୁର ତହସିଲରେ ଆବେଦନକରିଥିଲେ। ଗୁଣୁପୁର ତହସିଲ ପକ୍ଷରୁ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ମଛଖୁନି ରାଜସ୍ବ ସର୍କଲର ଅବସରପ୍ରାପ୍ତ ଏଆରଆଇ ସୁନାକର ରାଉତଙ୍କ ନିକଟକୁ ନିର୍ଦେଶ ଆସିଥିଲା। ସେ ଏହି ରିପୋର୍ଟ ଦେବା ପାଇଁ ୨୦ହଜାର ହଜାର ଟଙ୍କା ଲାଂଚ ମାଗିଥିଲେ। ପରବର୍ତ୍ତୀ ସମୟରେ ପ୍ରପୁଲ୍ଲ ଏଆରଆଇଙ୍କୁ ବହୁ ବୁଝାସୁଝା କରିବା ପରେ ୧୦ହଜାର ଟଙ୍କା ଦେବାକୁ କହିଥିଲେ। ପୂର୍ବରୁ ୫ହଜାର ଟଙ୍କା ଏଆରଆଇ ନେଇଯାଇଥିବା ବେଳେ ୨୦୧୪ନଭେମ୍ବର ୨୮ତାରିଖ ଦିନ ବଳକା ୫ହଜାର ନେବାକୁ କହିଥିଲେ।

ପ୍ରପୁଲ୍ଲ ଏ ନେଇ ରାୟଗଡ଼ା ଭିଜିଲାନ୍ସ ଡିଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଭିଜିଲାନସ୍ ପକ୍ଷରୁ ରଂଗବୋଲା ଟଙ୍କା ପ୍ରପୁଲ୍ଲଙ୍କୁ ଦିଆଯାଇଥିଲା। ସେ ୨୮ତାରିଖ  ଦିନ ଏହି ରଂଗ ବୋଲା ଟଙ୍କା ଏଆରଆଇ ପ୍ରପୁଲ୍ଲଙ୍କ ଠାରୁ ନେଇ ନିଜ ପକେଟରେ ରଖିଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନସ ବିଭାଗର ଅଧିକାରୀ ରାଜସ୍ବ କାର୍ଯ୍ୟାଳୟ ମଧ୍ୟକୁ ଚଢ଼ାଉ କରିଥିଲେ। ଭିଜିଲାନ୍ସ କୁ ଦେଖି ଏଆରଆଇ  ରଂଗବୋଲା ଟଙ୍କାକୁ ଧରି ବାହାରକୁ ଦୈଡିବା ସହ ବୁଦା ମଧ୍ୟକୁ ପିଙ୍ଗି ଦେଇଥିଲେ। ବୁଦାରୁ ଏହି ଟଙ୍କା ଭିଜିଲାନସ୍ ଉଦ୍ଧାର କରିଥିଲେ। ଭିଜିଲାନସ୍ ଦଫା ୭ପିସି ଆକ୍ଟ ୧୯୮୮ର ୧୩(୨) ଆର ରିଡ୍ ୱିଥ୍ ୧୩(୧)(ଡି) ପିସି ଆକ୍ଟରେ ଗିରଫ କରି  ୨୯ତାରିଖ ଦିନ ‌ତାଙ୍କୁ କୋର୍ଟକୁ ଚାଳାଣ କରାଯାଇଥିଲା। ଏହି ମାମଲାର ବିଚାର ଆଜି କରି ତତ୍କାଳୀନ ଏଆରଆଇ ଶ୍ରୀରାଉତଙ୍କୁ ତିନି ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୩ମାସ ସଶ୍ରମ କାରାଦଣ୍ଡ ରହିବାକୁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ଏବେ ଅଭିଯୁକ୍ତ ଅବସରପ୍ରାପ୍ତ ଏଆରଆଇ ଶ୍ରୀ ରାଉତ କଟକ ଜିଲ୍ଲାର ମହାଙ୍ଗା ଥାନା ଅନ୍ତର୍ଗତ ମଲ୍ଲୀକପୁରରେ ରହୁଛନ୍ତି।

 

 

 

 

 

ସମ୍ବନ୍ଧିତ ଖବର