କୋଭିଡ୍‌-୧୯ ମୁକାବିଲା : ନିଯୁକ୍ତ ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ

ଭୁବନେଶ୍ୱର : କୋଭିଡ୍‌-୧୯ ମୁକାବିଲାରେ ଯୋଦ୍ଧା ସାଜିଛି ପୁଲିସ। ସଫଳତା‌ର ସହ ଦାୟିତ୍ବ ନିର୍ବାହ କରୁଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ଏହି ମୁକାବିଲା ଆଗକୁ ମଧ୍ୟ ଜାରି ରହିବ। ଏଣୁ ୨୪ ଘଣ୍ଟା କାମ କରୁଥିବା ପୁଲିସକୁ ସହଯୋଗ କରିବା ପାଇଁ ୪୭୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ୬ ମାସ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ସରକାରଙ୍କ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡିଜିଙ୍କୁ ଚିଠି ଲେଖିଛନ୍ତି।

୨୪ ଘଣ୍ଟା କାମ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ କୋଭିଡ୍‌-୧୯ ମୁକାବିଲା କାଠିକର ପାଠ ହୋଇଛି। କର୍ମଚାରୀ ଅଭାବ ଥିବାରୁ ଅନେକ ସମୟରେ ପୁଲିସ ପାଇଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ଅଧିକ ପୁଲିସ କର୍ମଚାରୀ ନିଯୁକ୍ତି ଦେବା ସମ୍ଭବ ନ ଥିବାରୁ ଏହି ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେବାପାଇଁ ସରକାର ଯୋଜନା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ମୁତାବକ, ୬ ମାସ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ୩ ମାସ ପରେ ପୁଲିସ ମୁଖ୍ୟାଳୟ ଏହାର ସମୀକ୍ଷା କରିବ। ଯଦି ଏମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ଥିବ ‌ତେବେ ଏମାନଙ୍କର ଚୁକ୍ତି ଅବଧି ୬ ମାସ ପର୍ଯ୍ୟନ୍ତ ବଢ଼ା ଯାଇ ପାରେ। ଏମାନେ ଓଏସ୍‌ଏସ୍‌ଏଫ୍‌(ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଙ୍ଗ୍‌ ଫୋର୍ସ)ଙ୍କ ସହ କାମ କରିବେ ଓ ଏମାନଙ୍କର ଦରମା ମଧ୍ୟ ଏହି ଫୋର୍ସଙ୍କ ଦରମା ମୁତାବକ ହେବ।

ସମ୍ବନ୍ଧିତ ଖବର