ଭୁବନେଶ୍ୱର: ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହା କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହଣ ମହଣ ସୁନା ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି। ରତ୍ନଭଣ୍ଡାର ଖୋଲି ଏହା ଭିତରେ ଥିବା ସମସ୍ତ ଅଳଙ୍କାରର ବାସ୍ତବ ସ୍ଥିତି ସଂପର୍କରେ ଜଗନ୍ନାଥପ୍ରେମୀଙ୍କୁ ଅବଗତ କରାଇବାର ରାଜ୍ୟ ସରକାରଙ୍କ ହେଉଛି ଦାୟିତ୍ୱ। ସମସ୍ତ ଜଗନ୍ନାଥପ୍ରେମୀ ଚାହିଁ ବସିଛନ୍ତି ଯେ, ସରକାର କେବେ ରତ୍ନଭଣ୍ଡାର ଖୋଲିବେ। ମାତ୍ର ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି। ରାଜ୍ୟ ସରକାର ଜଗନ୍ନାଥ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି।
ରାଜ୍ୟ ସରକାର ରତ୍ନଭଣ୍ଡାର ନଖୋଲିବାକୁ ନେଇ ଜଣେ ଭକ୍ତ ଭାବେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଗତ ୩୦ ତାରିଖ ଦିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ନୋଟିସ ଜାରି କରି ଆସନ୍ତା ଅଗଷ୍ଟ ୭ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ପ୍ରଥମେ ଚାବି ହଜିବା, ପରେ ଡୁପ୍ଲିକେଟ୍ ଚାବି ମିଳିବା, ଡୁପ୍ଲିକେଟ ଚାବି ମିଳିବା ସତ୍ୱେ ରତ୍ନଭଣ୍ଡାର ଖୋଲାଯାଇ ନପାରିବା ଘଟଣା ଜଗନ୍ନାଥପ୍ରେମୀଙ୍କୁ ବିବ୍ରତ କରିଥିଲା।
ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟକୁ ମଧ୍ୟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିଲେ ନାହିଁ। ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ସୁରକ୍ଷାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଚିନ୍ତା, ଭାବାବେଗ ଏବଂ ଅସନ୍ତୋଷକୁ ମାନ୍ୟବର ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ସେହିପରି ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ଏଏସଆଇ ବାରମ୍ବାର କହିବା ସତ୍ୱେ ରାଜ୍ୟ ସରକାର ନୀରବ ରହିବା ବଡ଼ ଚିନ୍ତାର କାରଣ ସାଜିଛି। ରାଜ୍ୟ ସରକାରଙ୍କ ଜିଦଖୋର ମନୋଭାବ କାରଣରୁ ଆଜି କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନରେ ବିରାଟ ଆଘାତ ଲାଗିଛି। ଆମେ ଦାୟର କରିଥିବା ଜନସ୍ୱାର୍ଥ୍ୟ ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଥିବାରୁ ମାନ୍ୟବର ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଉଛୁ । ବର୍ତମାନ ଆଇନଗତ ଲଢେଇ ପାଇଁ ବାଟ ଫିଟିଲା ଏବଂ ରାଜ୍ୟ ସରକାର ଜବାବ୍ ରଖିବା ପାଇଁ ବାଧ୍ୟ ହେବେ। ଏହା ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲାଯିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି।