ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତୁଲେଶ୍ଵର ନାଏକ, ଘରବାହୁଡ଼ା ହେବେ କଂଗ୍ରେସକୁ!

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ଵର ନାଏକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ୨୦୧୭ ଠାରୁ ୨୦୨୨ ପର୍ଯ୍ୟନ୍ତ ତୁଲେଶ୍ଵର ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଥଲେ। ସେ ୨୦୧୯ ମସିହାରେ ନବୀନ ନିବାସରେ ମିଶିବା ସହିତ ଗୋଳାମୁଣ୍ଡା ବ୍ଲକ ଅଞ୍ଚଳରେ ଜଣେ ସକ୍ରିୟ ବିଜୁ ଜନତା ଦଳ ନେତା ଭାବେ କାର୍ଯ୍ୟରତ ଥିଲେ ଓ ବିଗତ ନିର୍ବାଚନ ମାନଙ୍କରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏପରିକି ଶ୍ରୀ ନାଏକ ପଛୁଆ ବର୍ଗ ପଣ୍ଡରା ମାଳି ସମାଜର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିବାରୁ ତାଙ୍କର ପ୍ରବଳ ଜନସମର୍ଥନ ରହିଛି। ଏପରି କି ସେ ବର୍ତ୍ତମାନ ଝରି ଗ୍ରାମପଞ୍ଚାୟତର ସମିତି ସଭ୍ୟ ମଧ୍ୟ ରହିଛନ୍ତି।

ବିଜୁ ଜନତା ଦଳରେ ତୁଲେଶ୍ଵର ସାମିଲ ହେଲା ପରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଜଣେ ନିକଟମ ନେତା ଭାବେ ମଞ୍ଚାସୀନ ରହୁଥିଲେ ଓ ତାଙ୍କ ଏଭଳି ଫୋଟୋଗୁଡ଼ିକ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଚର୍ଚ୍ଚାର ପରିଧିରେ ରହିଥିଲା। ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଜୁ ଜନତା ଦଳର ନେତାମାନେ ତାଙ୍କୁ ଅଣଦେଖା କରୁଥିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଧର୍ମଗଡ ଠାରେ ହୋଇ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ତୁଲେଶ୍ଵର ନାଏକ ସୂଚନା ଦେଇଛନ୍ତି। ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ପଠାଇଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ତୁଲେଶ୍ଵରଙ୍କ ପିତା ରାଜକୁମାର ନାଏକ ମଧ୍ୟ ଗତ ୨୦୦୨ ଠାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ରହିଥଲେ ଓ ଏହି ପରିବାର  କଂଗ୍ରେସର ବରିଷ୍ଠ ନେତା  ଭକ୍ତ ଚରଣ ଦାସଙ୍କ ସହିତ ଅତି ଘନିଷ୍ଠତା ରହିଛି। ତୁଲେଶ୍ଵର ମଧ୍ୟ ବିଗତ ଦିନରେ କଂଗ୍ରେସ ଦଲରେ ରହିଥିବା ବେଳେ କଂଗ୍ରେସର କିଛି ପଦବିରେ ରହିଥିଲେ। ସେ ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର