କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ନୀଳକଣ୍ଠ ଝୋଲା ଦଳରୁ ଦେଲେ ଇସ୍ତଫା

ମାଲକାନଗିର: ଜିଲ୍ଲା କଂଗ୍ରେସକୁ ଏବେ ଶନି ଦଶା ଘାରିଛି। ଧିରେ ଧିରେ ପ୍ରମୁଖ ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି। ଏହି କ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି। ଦୀର୍ଘ ୩୦ ବର୍ଷ ଧରି କଂଗ୍ରେସର ଆଗଧାଡିର ନେତା ଭାବେ କାମ କରିଥିବା ମାଲକାନଗିରିର ପୂର୍ବତନ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ନୀଳକଣ୍ଠ ଝୋଲା କଂଗ୍ରେସରୁ ପ୍ରାଥମିକ ପଦବିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କୁ ପ୍ରେରଣ କରିଥିବା ସେ ସମ୍ବାଦକୁ କହିଥିଲେ।

ପ୍ରକାଶ ଥାଉକି ନୀଳକଣ୍ଠ ଝୋଲା ଆଦିବାସୀ ସଂପ୍ରଦାୟର ଜଣେ ବେଶ ପରିଚିତ ବ୍ୟକ୍ତି। ବିଭିନ୍ନ ସମୟରେ କଂଗ୍ରେସର ପ୍ରାର୍ଥୀ ହୋଇ ସେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଭାଗ ନେଇ ବିଜୟୀ ହୋଇଛନ୍ତି। ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ସମିତି ସଭ୍ୟ ଥିଲେ। ପରେ ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ୧୯୯୭ ମସିହାରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ। ପୁଣି ସେ ଗତ ୨୦୦୨ ଠାରୁ ୨୦୦୭ ଏବଂ ୨୦୦୭ ଠାରୁ ୨୦୧୨ ପର୍ଯ୍ୟନ୍ତ ଲଗାତାର ବୀର ଲକ୍ଷ୍ଣଣପୁର ପଞ୍ଚାୟତର ସରପଞ୍ଚ ଭାବେ ବିଜୟୀ ହୋଇ ଲୋକଙ୍କ ପାଇଁ କାମ କରିଥିଲେ।

ନିଜ ପଞ୍ଚାୟତରେ ସେ ରାସ୍ତା, ପାନୀୟ ଜଳ, ସ୍କୁଲ, ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ସଫଳ ହୋଇଥିଲେ। ତାଂକର ପ୍ରଚେଷ୍ଟାରେ ବୀରଲକ୍ଷ୍ଣଣପୁର ଠାରେ ସ୍ୱାଧୀନତା ସଂଗ୍ରାମୀ ଗଂଗାଧର ଝୋଲାଙ୍କ ନାମରେ ଏକ ହାଇସ୍କୁଲ ନିର୍ମାଣ ହୋଇଥିଲା। ତେବେ ଦୀର୍ଘ ସମୟ ଧରି କଂଗ୍ରେସରେ ରହି କାମ କରିଥିବାରୁ ସେ କଂଗ୍ରେସକୁ କୌଣସି ଦାୟୀ ନକରି ବ୍ୟକ୍ତିଗତ କାରଣରୁ ସେ ଦଳରୁ ଇସ୍ତଫା ଦେଉଥିବା କହିଛନ୍ତି।

ତେବେ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ଉଭା ହୋଇଥିବା ନୀଳକଣ୍ଠ ହଠାତ୍‌ ଦଳ ଛାଡିବାକୁ ନେଇ କଂଗ୍ରେସ ଦଳରେ ଏବଂ ସାଧାରଣରେ ବିଶ୍ୱାସ କରାଯାଇପାରୁନାହିଁ। ଗତ ମାସରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ କଂଗ୍ରେସ ଛାଡିଥିବା ବେଳେ ଏବେ ନୀଳକଣ୍ଠଙ୍କ ଇସ୍ତଫା ଆଗକୁ ଏକ ବଡ ଧରଣର ଅଦଳ ବଦଳକୁ ସୂଚାଇ ଦେଉଛି।

ସମ୍ବନ୍ଧିତ ଖବର