ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିହର କରଣଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ସେପ୍ଟିସେମିଆରେ ପୀଡ଼ିତ ହୋଇ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ତେବେ ଗତ ୨ ତାରିଖରେ ଆପୋଲୋ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କୁ ସେଠାରୁ ଆମ୍ରି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଆଇଆର୍ସି ଭିଲେଜସ୍ଥିତ ବାସଭବନକୁ ଅଣାଯାଇଥିଲା। ଶେଷ ଦର୍ଶନ କରିବା ପାଇଁ ସେଠାରେ ଭିଡ଼ ଜମିଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସେମତ ବହୁ ବରିଷ୍ଠ କଂଗ୍ରେସ ନେତା, ବିଭିନ୍ନ ଦଳର ନେତୃବୃନ୍ଦ ଓ କର୍ମୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ।
ଅପରାହ୍ଣ ୪ଟାରେ ମରଶରୀରକୁ ବିଧାନସଭାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏହା ପରେ ମରଶରୀରକୁ କଂଗ୍ରେସ ଭବନ ନିଆଯାଇଥିଲା। ସେଠାରେ ଦଳୀୟ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସନ୍ଧ୍ୟାରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଝିଅ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପୁଅ ରାଜେଶ କରଣ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
୧୯୪୭ ମେ ୫ରେ ନୟାଗଡ଼ ଜିଲ୍ଲା କରଡ଼ାପଡ଼ା ଗଣିଆରେ ଜନ୍ମଗ୍ରହଣ କରିଥିବା ହରିହର କରଣ ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ। ଦଶପଲ୍ଲା ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସାରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରେ କଟକ ମଧୁସୂଧନ ଲ’ କଲେଜରେ ଆଇନ ପଢ଼ିଥିଲେ। ସେଠାରୁ ଆରମ୍ଭ ହୋଇଥିଲା ସ୍ବର୍ଗତ କରଣଙ୍କ ରାଜନୈତିକ ଜୀବନ। ୧୯୭୨ରେ ମଧୁସୂଦନ ଲ’ କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ରାଜନୈତିକ ଜୀବନରେ ୬ ଥର ବିଧାୟକ ହୋଇଥିବା ବେଳେ ୨ ଥର ମନ୍ତ୍ରୀ ପଦରେ ରହିଥିଲେ। ପ୍ରଥମେ ୧୯୭୪ ମସିହାରେ ଦଶପଲ୍ଲା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେଠାରୁ ପୁଣି ୧୯୭୭ ମସିହାରେ କଂଗ୍ରେସ ଟିକଟରେ ସପ୍ତମ ଓ ୧୯୮୦ ମସିହାରେ ଅଷ୍ଟମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୮୦ ମସିହାରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୧୯୮୦-୧୯୮୫ ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜଙ୍ଗଲ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୮୫ରେ ନିର୍ବାଚନ ଲଢ଼ି ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ପାଳିରେ ପୁଣି ଥରେ ମନ୍ତ୍ରୀ ପଦ ମିଳିଥିଲା। ସେ ୧୯୮୫-୧୯୯୦ ପର୍ଯ୍ୟନ୍ତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ତେବେ ୧୯୯୭ ମସିହା ଉପନିର୍ବାଚନରେ ତାଙ୍କୁ କଂଗ୍ରେସ ଟିକେଟ୍ ନ ମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦ ମସିହାରେ କଂଗ୍ରେସ ଟିକଟରେ ଦ୍ବାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ସେ ବିଭିନ୍ନ ସମୟରେ ପିସିସି ସାଧାରଣ ସଂପାଦକ, ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ, ଏଆଇସିସି ସଦସ୍ୟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଦଳୀୟ ପଦପଦବିରେ ରହିଥିଲେ।