ପଦ୍ମ ଧରିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର : ‘ଗତ ୫ ବର୍ଷରେ ଓଡ଼ିଶା ଶାସନ ନୀଚ୍ଚ ସ୍ତରକୁ ଚାଲିଯାଇଛି’

ବିଜେପିରେ ମିଶିଲେ ବୃନ୍ଦାବନ ମାଝୀ, ଦେବୀ ଚାନ୍ଦ, ଅସତ୍ୟ କହୁଛନ୍ତି ପ୍ରକାଶ: ବିଜେଡି

ଭୁବନେଶ୍ବର : ପୂର୍ବତନ ପୁଲିସ ଡିଜି ତଥା ପୂର୍ବତନ ସିଆର୍‌ପିଏଫ୍ ଡିଜି ପ୍ରକାଶ ମିଶ୍ର ଆଜି ବିଧିବଦ୍ଧ ଭାବେ ରାଜନୀତିରେ ପାଦ ଥାପିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦ ଓ ଦାମୋଦର ରାଉତ ତାଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କିରଥିଲେ। ବିଜେପିରେ ମିଶିବା ସହ କଟକରେ ସେ ବିଜେପିର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଏହି ଅବସରରେ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ। ସେ କହିଥିଲେ, ଦୀର୍ଘ ୪୧ ବର୍ଷ ମୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛି। ସେଥିରୁ ଅଧା ସମୟ ମୁଁ ଓଡ଼ିଶାରେ କଟାଇଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାର ଶାସନ ଅତ୍ୟନ୍ତ ନୀଚ୍ଚ ସ୍ତରକୁ ଚାଲିଯାଇଛି। ଓଡ଼ିଆଙ୍କ ଆତ୍ମସମ୍ମାନକୁ ଯେଉଁ ଆଘାତ ଦିଆଯାଉଛି, ତାହାର ପ୍ରତିକାର କରିବାର ସମୟ ଆସିଛି। ଅନ୍ୟ ପଟେ ୫ ବର୍ଷରେ ମୋଦୀଙ୍କ ନେତୃତ୍ବରେ ଦେଶର ବିକାଶ ହୋଇଛି। ମୁଁ‌ ମୋଦୀଙ୍କ ସହ କାର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ପାଇଁ ଅତ୍ୟନ୍ତ ଚିନ୍ତିତ ଓ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହୋଇଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପ୍ରକାଶ ମିଶ୍ରଙ୍କ ବିଜେପିରେ ଯୋଗଦାନ ପରେ ଓଡ଼ିଶାର କିଛି ଲୁଟେରା ଓ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ନିଦ ହଜିଯାଇଥିବ। ଶ୍ରୀ ମିଶ୍ର ଯେତେବେଳେ ପୁଲିସ ଡିଜି ଥିଲେ, ସେତେବେଳେ ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ କରିବା ଆରମ୍ଭ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ଦୁର୍ନୀତିରେ ଛନ୍ଦି ହୋଇଯିବା ଭୟରେ ତାଙ୍କୁ ଦାୟିତ୍ବରୁ ହଟାଇ ଦେଇଥିଲେ। ଏପରିକି ୨୦୧୪ ନିର୍ବାଚନ ବେଳେ ବିଜେଡି ତାଙ୍କୁ ପୁଲିସ ଗାଡ଼ିରେ ଟଙ୍କା ବାଣ୍ଟିବା ପାଇଁ ବାଧ୍ୟ କରିଥିଲେ, ଯାହାକୁ ଶ୍ରୀ ମିଶ୍ର ମାନି ନ ଥିଲେ। ଏପରି ଜଣେ ସ୍ବଚ୍ଛ ପୁଲିସ ଅଧିକାରୀ ବିଜେପିରେ ଯୋଗ ଦେବା ଫଳରେ ଦଳ ଆହୁରି ଶକ୍ତିଶାଳୀ ହେବ।

ମିଶ୍ରଣ ପର୍ବରେ ବିଧାୟକ ଦାମୋଦର ରାଉତ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁକୁ ବିକି ବିଜେଡି ଶାସନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଚାରି ପଟେ ବୁଲୁଥିବା କିଛି ନେତା ରାଜକୋଷକୁ ଲୁଟି ଚାଲିଛନ୍ତି। କାଳିଆ ଯୋଜନା କଳା ଯୋଜନାରେ ପରିଣତ ହୋଇଛି। ଚାଷୀ ନୁହେଁ, ବରଂ ବିଜେଡିର ନେତାମାନେ ଏହି ଯୋଜନାର ଲାଭ ଉଠାଇଛନ୍ତି। ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରି ନ ପାରି ସବୁ ସମୟରେ କେନ୍ଦ୍ର ଉପରକୁ ଦୋଷ ଲଦି ଚାଲିଛନ୍ତି।

ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ଓ ଯୁବ‌େମାର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିରେ ମିଶିଲେ ବୃନ୍ଦାବନ ମାଝୀ, ଦେବୀ ଚାନ୍ଦ

ଲାଇାକେରାର ପୂର୍ବତନ ବିଜେଡି ବିଧାୟକ ବୃନ୍ଦାବନ ମାଝୀ ଓ ଜଳେଶ୍ବରର ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ଚାନ୍ଦ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କୁ ବିଧିବଦ୍ଧ ଭାବେ ସ୍ବାଗତ କରିଥିଲେ। ତାଙ୍କ ସହ ବାଲେଶ୍ବର ଜିଲ୍ଲା ବାଲିଆପାଳ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହେଶ୍ବର ଜେନା, ଭୋଗରାଇ ବ୍ଲକ୍ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ମହାନ୍ତି, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅବସରପ୍ରାପ୍ତ ସଚିବ ପଞ୍ଚାନନ ଦାସ, ଅବସରପ୍ରାପ୍ତ ଅତିରିକ୍ତ ଏସିପି ପ୍ରଦୀପ୍ତ କୁମାର ଜେନା, କଟକ ଜିଲ୍ଲା ବିଜେଡି ଉପସଭାପତି ପାର୍ବତୀ ଦାସ, ବନ ବିହାରୀ ନାୟକ, ଘାଟି ହଟାଓ ଆନ୍ଦୋଳନର ସଦସ୍ୟ ବିକାଶ ଗିରି ଓ ବରିଷ୍ଠ ଆଇନଜୀବୀ ସତ୍ୟ ପ୍ରଧାନ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ଏହା ସହ ସୁକିନ୍ଦା ଅଞ୍ଚଳର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ମିଶିଥିଲେ। ମିଶ୍ରଣ ପର୍ବରେ ବିଧାୟକ ଗୋବିନ୍ଦ ଦାସଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମା‌େନ ଉପସ୍ଥିତ ଥିଲେ।

ଅସତ୍ୟ କହୁଛନ୍ତି ପ୍ରକାଶ: ବିଜେଡି

ଭୁବନେଶ୍ବର : ନୂଆ କରି ବିଜେପିରେ ଯୋଗ ଦେବା ପରେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରିପ୍ରେକ୍ଷୀରେ ବିଜେଡି ଜବାବ ଦେଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ନେତା ପ୍ରକାଶ ମିଶ୍ରଙ୍କ ବୟାନ ପ୍ରମାଣ କରୁଛି ୨୦୧୪ରୁ ସେ ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ମିଶ୍ର ପୁଲିସ ପ୍ରାଶାସକ ଥିବାବେଳେ ଓଡ଼ିଶା ସରକାରଙ୍କ ଉତ୍କୃଷ୍ଟ ପ୍ରଶାସନ ପାଇଁ କେନ୍ଦ୍ର ସରକାର ବହୁବାର ରାଜ୍ୟକୁ ପୁରସ୍କୃତ କରିଛନ୍ତି। ଏବେ ପ୍ରଶାସକ ପଦରୁ ଅବସର ନେଇ ବିଜେପିରେ ଯୋଗ ଦେବା ପରେ ଅନ୍ୟ ବିଜେପି ନେତାଙ୍କ ଭଳି ସେ ମଧ୍ୟ ଅସତ୍ୟ କହିବା ଆରମ୍ଭ କରିଛନ୍ତି, ଯାହାକି ଦୁର୍ଭାଗ୍ୟଜନକ। ପ୍ରତିଦିନ ଶୁଆ ଭଳି ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ନେତାଏ ମିଥ୍ୟା ଅପପ୍ରଚାର କଲା ଭଳି ଶ୍ରୀ ମିଶ୍ର ଏଥିରୁ କ୍ଷାନ୍ତ ରହିବାକୁ ବିଜେଡି ମୁଖପାତ୍ର ପରାମର୍ଶ ଦେଇଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହତାଶାବୋଧରେ ପ୍ରତିଦିନ ରାଜ୍ୟ ସରକାରଙ୍କ ବିରୋଧରେ ଅଭ୍ୟାସଗତ ଭାବେ ମିଛ କହି ଆସୁଥିବା ବିଜେଡି କହିଛି।

ସମ୍ବନ୍ଧିତ ଖବର