ଜଳସଂପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ

ଭୁବନେଶ୍ବର : ରାଜ୍ୟ ଜଳସଂପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଇଞ୍ଜିନିୟର ବିଷ୍ଣୁ ପ୍ରସାଦ ଦାସଙ୍କ ଆଜି ମାଲେସିଆରେ ପରଲୋକ ହୋଇଯାଇଛି। ସେ ମାଲେସିଆ ଗସ୍ତରେ ଥିବା ବେଳେ କ୍ବାଲାଲମପୁରରେ ହୃଦ୍‌ଘାତ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା।

କେନ୍ଦ୍ରାପଡ଼ା ସହରରେ ୧୯୩୭ ମସିହାରେ ଜନ୍ମିତ ସ୍ବର୍ଗତ ଦାସ ୧୯୫୮ ମସିହାରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ବିଏସ୍‌ସି ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ରୁର୍‌କି ବିଶ୍ବବିଦ୍ୟାଳୟରୁ ଜଳସଂପଦ ବିକାଶରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୭୨ ମସିହାରେ କାନାଡ଼ାର ଆଲର୍ବଟା ବିଶ୍ବବିଦ୍ୟାଳୟରୁ ହାଇଡ୍ରୋଲିକ୍ ଇଞ୍ଜିନିୟରିଂରେ ପିଏଚ୍‌ଡି ହାସଲ କରିଥିଲେ। ଜଳସଂଶୋଧନ କ୍ଷେତ୍ରରେ ତାଙ୍କର ପାରିଦର୍ଶିତା ରହିଥିଲା। ବିଭିନ୍ନ ସମୟରେ ସେ ଅନ୍ତର୍ଜାତୀୟ ଜଳସେଚନ ଓ ନିଷ୍କାସନ ଆୟୋଗ, ମିଳିତ ଜାତିସଂଘ, ବିଶ୍ବବ୍ୟାଙ୍କ, ବ୍ରିଟେନସ୍ଥିତ ହାଇଡ୍ରୋଲୋଜି ପ୍ରତିଷ୍ଠାନ, କଲରାଡୋ ଓ ମିଚିଗାନ୍ ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ସହ ସଂପୃକ୍ତ ହୋଇଥିଲେ। ତାଙ୍କର କାନାଡ଼ା, ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପାଇନ୍‌ସ, ଦକ୍ଷିଣ କୋରିଆ, ଜାପାନ, ସ୍ବିଜରଲାଣ୍ଡ, ନେଦରଲାଣ୍ଡ, ଇଟାଲି, କାଜାକିସ୍ତାନ, ଅଷ୍ଟ୍ରେଲିଆ, କାମ୍ବୋଡ଼ିଆ ଇତ୍ୟାଦି ଦେଶକୁ ଗସ୍ତ ତାଙ୍କ ବୃତ୍ତିଗତ ସାଫଲ୍ୟର ପ୍ରମାଣ ବହନ କରିଛି।

ସ୍ବର୍ଗତ ଦାସ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ପଦରେ ୪ବର୍ଷ ଧରି ରହିଥିଲେ। ପରେ ଜଳ ସଂପଦ ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଏହାସହ ଉତ୍ତରାଖଣ୍ଡ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସହ-ଅଧ୍ୟକ୍ଷଭାବେ କାର୍ଯ୍ୟ ତୁଲାଇଥିଲେ। ପରିବେଶ ସୁରକ୍ଷା, ସେତୁ ନିର୍ମାଣ, କେନାଲ ପ୍ରକଳ୍ପ ଓ ଜଳସଂପଦ ସଂପୃକ୍ତ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବାବଦରେ ତାଙ୍କର ବ୍ୟାପକ ଅଭିଜ୍ଞତା ଓ ଦୂରଦୃଷ୍ଟି ରହିଥିଲା। ତାଙ୍କର ପରଲୋକ ‌ଫଳରେ ରାଜ୍ୟ ଇଞ୍ଜିନିୟର ମହଲରେ ଶୋକର ଛାୟା ଖେଳି ଯାଇଛି।

ସ୍ବର୍ଗତ ଦାସଙ୍କ ୩ ଝିଅ ରହିଛନ୍ତି। ଆସନ୍ତାକାଲି ତାଙ୍କ ମରଶରୀର ରାଜଧାନୀରେ ପହଞ୍ଚିବା ପରେ ବିଜେବି ନଗରସ୍ଥିତ ବାସଭବନରେ ଆତ୍ମୟୀସ୍ବଜନ ଓ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଅପରାହ୍‌ଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ସମ୍ବନ୍ଧିତ ଖବର