ଜୟପୁର: ୧୬ବର୍ଷ ପୁରୁଣା ୧୧ଲକ୍ଷ ୪ହଜାର ୩୫୯ଟଙ୍କା ଓମଫେଡ୍ କ୍ଷତି ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ କୁମାର ଏକ୍କା। ଏହି ମାମଲାରେ ତତ୍କାଳୀନ ପ୍ଲାଣ୍ଟ ପ୍ରବନ୍ଧକ ଉମେଶ ଚନ୍ଦ୍ର ମହାପାତ୍ର(୬୬)ଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍। ଏଥି ସହ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଜୟପୁର ଠାରେ ଥିବା ଓମଫେଡ୍ ପ୍ଲାଣ୍ଟରେ ଗତ ୨୦୦୩ମସିହା ଡିସେମ୍ବର ୧ତାରିଖରୁ ୨୦୦୭ମସିହା ପର୍ଯ୍ୟନ୍ତ ପ୍ରବନ୍ଧକ ରହିଥିଲେ ଉମେଶ ଚନ୍ଦ୍ର ମହାପାତ୍ର। ଓଡିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକଙ୍କ ସଂଘ ତରଫରୁ ଜିଲ୍ଲା କ୍ଷୀର ସଂଘ ଗଠନ କରାଯାଇଥିଲା। ଏହା ଦ୍ବାରା ଚାଷୀଙ୍କ ଠାରୁ କ୍ଷୀର କିଣି ଏହାକୁ ପ୍ଲାଣ୍ଟରେ ପ୍ରସ୍ତୁତ କରି ଦହି, କ୍ଷୀର, ଛେନା ଆଦି ବଜାରରେ ବିକ୍ରି କରାଯାଉଥିଲା। ଅବିଭକ୍ତକୋରାପୁଟ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼କୁ ବିକ୍ରି ପାଇଁ ଯାଉଥିଲା ଏସବୁ ସାମଗ୍ରୀ। ଏସବୁକୁ କର୍ମଚାରୀଙ୍କ ଜରିଆରେ ବିକ୍ରୀ କରାଯାଉଥିଲା। ତେବେ ୨୦୦୩ମସିହା ଡିସେମ୍ବରରୁ ୨୦୦୭ମସିହା ପର୍ଯ୍ୟନ୍ତ ୧୧ଲକ୍ଷ୪ହଜାର ୩୫୯ଟଙ୍କା ଓମଫେଡ଼ର ଅନାଦେୟ ରହିଥିଲା। ୨୦୦୭ ମସିହାରେ ନୂଆ ପ୍ଲାଣ୍ଟପ୍ରବନ୍ଧକ ଭାବେ ପିକେ ନାୟକ ଯୋଗ ଦେବା ପରେ ସେ ଏହା ଜାଣିବାକୁ ପାଇଥିଲେ। ଓମଫେଡ଼ର ନିୟମ ଅନୁଯାୟୀ ସାମଗ୍ରୀ ଦେବା ପରେ ତୁରନ୍ତ ଟଙ୍କା ଆଦାୟ କରି ନିର୍ଦ୍ଦାରିତ ଆକାଉଣ୍ଟରେ ଜମା କରାଯିବା କଥା। ତେବେ ଏଭଳି ହୋଇ ନଥିବାରୁ ଶ୍ରୀନାୟକ ଏ ନେଇ ସରକାରଙ୍କୁ ଅବଗତ କରିବା ସହ ଭିଜିଲାନସରେ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଭିଜିଲାନସ୍ ତଦନ୍ତ କରି ତତ୍କାଳୀନ ପ୍ଲାଣ୍ଟ ପ୍ରବନ୍ଧକ ଶ୍ରୀ ମହାପାତ୍ରଙ୍କୁ ସରକାରୀ ଅର୍ଥ ତଥା ଓମଫେଡର କ୍ଷତି ନାଁରେ ମାମଲା ରୁଜୁ କରି କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାରେ ପୂର୍ବତନ ପ୍ଲାଣ୍ଟ ପ୍ରବନ୍ଧକ ଶ୍ରୀ ମହାପାତ୍ରଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଆଉ ୨ମାସ ସଶ୍ରମକାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।