ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୋବେର୍ଲି ମନୋହ ରାଜେନ୍ଦ୍ରନ୍ଙ୍କ ପରଲୋକ ହୋଇଯାଇଛି। ତାମିଲନାଡୁର ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ପତ୍ନୀ ସୁଶୀଳା ରାଜେନ୍ଦ୍ରନ୍, ଦୁଇ ପୁଅ ଓ ଝିଅଙ୍କୁ ଛାଡ଼ି ସେ ଆରପାରିକୁ ଚାଲିଯାଇଛନ୍ତି।
୧୯୫୭ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଟପ୍ପର ଏମ୍ଏମ୍ ରାଜେନ୍ଦ୍ରନ୍ ୧୯୩୫ ମସିହା ଏପ୍ରିଲ୍ ୧୨ରେ ଜନ୍ମଗ୍ରହଣ କରିଥିଲେ। ସେ ଏକଦା ତାମିଲନାଡୁର ମୁଖ୍ୟ ଶାସନ ସଚିବ ରହିଥିଲେ। ୧୯୯୯ ମସିହାରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ରାଜେନ୍ଦ୍ରନ୍ ଯେଉଁ ସମୟରେ ଓଡ଼ିଶାର ରାଜ୍ୟପାଳ ଥିଲେ, ସେହି ସମୟରେ ଓଡ଼ିଶା ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ ମହାବାତ୍ୟା-୧୯୯୯କୁ ଓଡ଼ିଶାବାସୀ ସାମ୍ନା କରିଥିଲେ। ଶ୍ରୀ ରାଜନ୍ଦ୍ରେନ୍ ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାରକାର୍ଯ୍ୟ ଓ ରିଲିଫ କାର୍ଯ୍ୟକୁ ସଠିକ ଭାବେ ପରିଚାଳନା କରିବାକୁ ସହାୟକ ହୋଇଥିଲେ।
ସୂଚନାଯୋଗ୍ୟ, ୧୯୬୪ ମସିହାରେ ତାମିଲନାଡୁର ରାମନାଥପୁରମରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଅଭିଜ୍ଞତା ହାସଲ କରିଥିଲେ। ୧୯୯୯ରେ ଓଡ଼ିଶା ମହାବାତ୍ୟାର ମୁକାବିଲା ପାଇଁ ସରକାରୀ କଳକୁ ଦିଗଦର୍ଶନ ଦେବାରେ ତାଙ୍କର ଏହି ଅଭିଜ୍ଞତା ବଡ଼ ସହାୟକ ହୋଇଥିଲା। ଏମ୍ଏମ୍ ରାଜେନ୍ଦ୍ରନଙ୍କୁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।
ଏମ୍ଏମ୍ ରାଜେନ୍ଦ୍ରନ୍ ଯେତେବେଳେ ଓଡ଼ିଶାର ରାଜ୍ୟପାଳ ଥିଲେ, ନିଜର କାର୍ଯ୍ୟକାଳ ସମୟରେ ସେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ। ସେ ରାଜ୍ୟପାଳ ଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଗିରିଧର ଗମାଙ୍ଗ। ପରେ ହେମାନନ୍ଦ ବିଶ୍ବାଳ ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ।