ସ୍କୁଲ ପ୍ରମାଣପତ୍ର ପାଇଁ ୩ ଶହ ଲାଞ୍ଚ; ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବର୍ଷେ ଜେଲ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ବଣାଇଁ ଉପଖଣ୍ଡ ଏକ ଲାଞ୍ଚ ମାମଲାର ବିଚାର କରି କେ.ବଲାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହନ୍ତଙ୍କୁ ୧ ବର୍ଷ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ୨ ମାସ ଜେଲଦଣ୍ଡ ବୃଦ୍ଧି ପାଇଁ ଆଦେଶ ହୋଇଛି। ଶ୍ରୀମତୀ ମହନ୍ତ ୨୦୦୬ ଜୁନ ୨୮ ତାରିଖରେ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ର ମନୋଜ କୁମାର ପାତ୍ରଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପାଇଁ ୩ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ମାମଲା ଅନୁସାରେ, କେ. ବଲାଙ୍ଗ ଗାଁର ଛାତ୍ର ମନୋଜ କୁମାର ପାତ୍ର ସପ୍ତମରେ ଉତ୍ତୀର୍ଣ୍ଣ ହେବା ପରେ ଅନ୍ୟତ୍ର ନାମ ଲେଖାଇବାକୁ ତାଙ୍କ ମା’ ସନ୍ତୋଷିନୀ ପାତ୍ର ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏଥିପାଇଁ ତତ୍କାଳୀନ ପ୍ରଧାନଶିକ୍ଷୟିତ୍ରୀ ୩ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ପ୍ରମାଣପତ୍ର ମିଳିବ ନାହିଁ ରୋକଠୋକ ଶୁଣାଇ ଦେଇଥିଲେ। ଏହା ପରେ ସନ୍ତୋଷିନୀ ରାଉରକେଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ୨୦୦୬ ଜୁନ ୨୮ରେ ଏକ ମାମଲା ରୁଜୁ କରି ପ୍ରଧାନଶିକ୍ଷୟିତ୍ରୀଙ୍କୁ ଧରିବାକୁ ଜାଲ ବିଛାଇଥିଲେ।

ସେହିଦିନ ଯୋଜନା ମୁତାବକ ଅଭିଯୋଗକାରୀ ସନ୍ତୋଷିନୀ ଭିଜିଲାନ୍ସ ପ୍ରଦତ୍ତ ରାସାୟନିକ ରଙ୍ଗ ବୋଳା ୩ ଶହ ଟଙ୍କା ପ୍ରଧାନଶିକ୍ଷୟିତ୍ରୀଙ୍କୁ ଦେଇଥିଲେ। ଏହା ପରେ ତତ୍କାଳୀନ ଭିଜିଲାନ୍ସ ଡିଏସପି ଅକ୍ଷୟ କୁମାର ସାହୁଙ୍କ ନେତୃତ୍ବରେ ସେଠାରେ ଛକି ରହିଥିବା ଟିମ୍ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମହନ୍ତଙ୍କୁ କାବୁ କରିଥିଲେ। ଭିଜିଲାନ୍ସ ନିରୀକ୍ଷକ ତ୍ରିନାଥ ପଟେଲ ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ବିଚାର କରି ରାୟ ଶୁଣାଇଥିଲେ। ଭାରପ୍ରାପ୍ତ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଗୌରମୋହନ ଦାଶ ମାମଲାର ପରିଚାଳନା କରିଥିଲେ। ଆସାମୀ ଶ୍ରୀମତୀ ମହନ୍ତ ୨୦୧୪ରୁ ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର