ଏଏନଏମଙ୍କଠାରୁ ୧୨ ହଜାର ଲାଞ୍ଚ: ଲହୁଣିପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ପୂର୍ବ କନିଷ୍ଠ କିରାଣିଙ୍କୁ ୨ ବର୍ଷ ଜେଲ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨୦୦୪ର ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ କନିଷ୍ଠ କିରାଣି ତଥା ହିସାବରକ୍ଷକ ତ୍ରିଲୋଚନ ନାଥଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅଦାନାୟ ହେଲେ ଜେଲଦଣ୍ଡକୁ ୩ ମାସ ବୃଦ୍ଧି କରିବାକୁ ଆଦେଶ ହୋଇଛି। ବିଗତ ୩୦.୯.୨୦୦୪ରେ ଶ୍ରୀ ନାଥ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଅବସରପ୍ରାପ୍ତ ଏଏନଏମ ଏଲୋସିଆ ଲାକ୍ରାଙ୍କୁ ତାଙ୍କ ବକେୟା ପ୍ରାପ୍ୟ ୧ ଲକ୍ଷ ୪୭ ହଜାର ଟଙ୍କା ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ଶ୍ରୀ ନାଥ ଏଏନଏମଙ୍କ ଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ଗ୍ରହଣ କରିଥିବାର ଦସ୍ତଖତ ନେଇ ତାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା ଦେଇଥିଲେ। ୧୨ ହଜାର ଟଙ୍କା ସେ କାଟି ରଖିଥିଲେ। ଏ ନେଇ ଏଏନଏମ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବା ପରେ ଏକ ମାମଲା ରୁଜୁ କରି ଟିମ୍ ତଦନ୍ତ କରିଥିଲା। ଏହି ସମୟରେ କିରାଣି ଶ୍ରୀ ନାଥଙ୍କ ପାଖରେ ୩୭୮୨୧ ଟଙ୍କା ଠାବ ହୋଇଥିଲା। କିନ୍ତୁ ସେ ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ସେଥିରେ ଏଏନଏମ ଶ୍ରୀମତୀ ଲାକ୍ରାଙ୍କ ୧୨ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା। ରାଉରକେଲା ଭିଜିଲାନ୍ସ ବିଭାଗ ପୂର୍ବତନ ନିରୀକ୍ଷକ ତ୍ରିନାଥ ପଟେଲ ମାମଲାର ତଦନ୍ତ କରି ରିପୋର୍ଟ ଦେଇଥିବା ବେଳେ ସ୍ବତନ୍ତ୍ର ଭିଜିଲାନ୍ସ ଭାରପ୍ରାପ୍ତ ପିପି ଗୌରମୋହନ ଦାଶ ପରିଚାଳନା କରିଥିଲେ। କଟକ ଜିଲ୍ଲା ବାଙ୍କି ଥାନା ଘୋଲାପୁର ଗାଁରେ ଆସାମୀ ଶ୍ରୀ ନାଥ ୨୦୦୬ ଡିସେମ୍ବରରେ ଅବସର ନେବା ପରେ ଲହୁଣିପଡ଼ରେ ଅବସ୍ଥାନ କରୁଛନ୍ତି।

ସମ୍ବନ୍ଧିତ ଖବର