ବୌଦ୍ଧ: ବାଲିଘାଟ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗତ ଜୁଲାଇ ୨୧ ତାରିଖ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ତତ୍କାଳୀନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଶୁକ୍ରବାର ପୁଲିସ ମହାନିର୍ଦ୍ଦେଶକ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମହାନଦୀର ସୁରୁଣ୍ଡି ବାଲିଘାଟକୁ ଠିକାରେ ନେଇଥିଲେ ଫୁଲବାଣୀର ଶରତ ବେହେରା। ସେ ବାଲି ଉତ୍ତୋଳନ କରି ହାଇୱାରେ ନେବାବେଳେ ହରଭଙ୍ଗା ଆଇଆଇସି ୩ଟି ହାଇୱାକୁ ଥାନାକୁ ଆଣି ଅଟକ ରଖିଥିଲେ। ଗାଡ଼ିଗୁଡ଼ିକ ଛାଡ଼ିବା ପାଇଁ ଟଙ୍କା ମାଗିଥିଲେ। ମୂଲଚାଲ ହେବାପରେ ୧ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା। ଏହାପରେ ଶରତ ବ୍ରହ୍ମପୁର ଭିଜିଲାନ୍ସ ଏସିଙ୍କ ନିକଟରେ ଅଭି​ଯୋଗ କରିଥିଲେ। ଘଟଣାଦିନ ପୁଷ୍ପଲତା ଟଙ୍କାଭର୍ତ୍ତି ଲଫାପା ନେବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।
ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନରେ କେସ ନଂ. ୧୧/୨୦୨୩ ରୁଜୁ ହୋଇ ତଦନ୍ତ ଚାଲିଛି। ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭାବରେ ପୁଲିସ ମହାନିର୍ଦ୍ଦେଶକ ଆଦେଶ ସଂଖ୍ୟା ୧୩୫୮/୨୫-୮-୨୩ରେ ପୁଷ୍ପଲତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/bd4dcc7e-4af4-4e8e-9a52-0cf81789d1e9.jpg)