ହାଇକୋର୍ଟର ପୂର୍ବତନ ବିଚାରପତି ଜୀବନ ମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଜୀବନ ମୋହନ ମହାପାତ୍ରଙ୍କ ଆଜି ଅପରାହ୍‌ଣ ପ୍ରାୟ ୧ଟା ୩୦ ମିନିଟ୍‌ରେ ତାଙ୍କ ବୁଦ୍ଧନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟର ପୁଅ ପ୍ରିୟଦର୍ଶୀ, ଝିଅ କଲ୍ୟାଣୀ, ସଙ୍ଗୀତା ଏବଂ ଜ୍ବାଇଁ ଶରତ ଚନ୍ଦ୍ର ଭଦ୍ର ଉପସ୍ଥିତ ଥି‌ଲେ। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ପରଲୋକ ଖବର ପାଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର୍‌ କାଉନସିଲ ସଭାପତି ମାନସ ମହାପାତ୍ର, ବରିଷ୍ଠ ଆଇନଜୀବୀ ଦେବୀପ୍ରସାଦ ଧଳ, ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ଶେଖର ସାହୁ ପ୍ରମୁଖ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଜଣେ ଅମାୟିକ ଓ ସରଳ ବ୍ୟକ୍ତିତ୍ବ ଭାବେ ସେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

୧୯୩୦ ମସିହାରେ ବାରିପଦାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାପାତ୍ର ଲକ୍ଷ୍ନୗ ବିଶ୍ବବିଦ୍ୟାଳୟରୁ ଏମ୍‌ କମ୍‌ ଓ ଲ’ ପାସ୍‌ କରି ଡେପୁଟି କଲେକ୍ଟର ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ରେ ଯୋଗଦେଇ ଜିଲ୍ଲା ଓ ଦୌରା ଜଜ୍‌, ସ୍ପେସାଲ ଜଜ୍‌(ଭିଜିଲାନ୍ସ), ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ, ହାଇକୋର୍ଟ ରେଜିଷ୍ଟ୍ରାର୍‌ ଭାବରେ କାମ କରିଥିଲେ। ଏହା ଛଡ଼ା ୧୯୮୯ରୁ ୧୯୯୨ ମସିହା ପର୍ଯ୍ୟନ୍ତ ହାଇକୋର୍ଟ ବିଚାରପତି ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର ପୁତ୍ର ପ୍ରିୟଦର୍ଶୀ ମହାପାତ୍ର ଜେକେ ପେପର୍‌ର ସିଜିଏମ୍‌ ଭାବରେ କାର୍ଯ୍ୟରତ। ବଡ଼ ଜ୍ବାଇଁ ଶରତ ଚନ୍ଦ୍ର ଭଦ୍ର ଜଣେ ପ୍ରତିଷ୍ଠିତ ଚାଟାର୍ଡ ଆକାଉଣ୍ଟାଣ୍ଟ। ସାନ ଜ୍ବାଇଁ ରବି ନାରାୟଣ ନାୟକ ଭାରତ ସରକାରଙ୍କ ପାୱାର ଗ୍ରିଡ୍‌ କର୍ପୋରେସନ ସିଏମ୍‌ଡି ଭାବରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର