ମାଲକାନଗିରି: ଚାଷୀମାନଙ୍କ ନାଁରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଦଲାଲମାନଙ୍କ ଜରିଆରେ ମଣ୍ଡିରେ ଧାନ ବିକ୍ରି କରାଇଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାର ତିଖପାଲି ଲ୍ୟାମ୍ପସର ପୂର୍ବତନ ଏମ୍ଡି ଶ୍ୟାମ ସୁନ୍ଦର ପଟ୍ଟନାୟକ ଗିରଫ ହୋଇଥିବା ଜଣାଯାଇଛି। ତାଙ୍କୁ ମାଲକାନଗିରି ଥାନା ପୁଲିସ୍ ଗିରଫ କରିଛି
ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଚାଷୀମାନଙ୍କ ନାମ ପଞ୍ଜିକରଣ ଆରମ୍ଭ କରାଯାଇଥିଲା। ଏହି ସମୟରେ ତିଖପାଲି ଲ୍ୟାମ୍ପସର ତତକାଳୀନ ଏମ୍ଡି ଶ୍ୟାମ ସୁନ୍ଦର ପଟ୍ଟନାୟକ କେତେକ ଚାଷୀଙ୍କ ନାଁରେ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ। ଏହି ନକଲି କାଗଜପତ୍ରରେ ଦଲାଲମାନେ ମଣ୍ଡିରେ ଧାନ ବିକ୍ରି କରିଥିଲେ। ତେବେ ପ୍ରକୃତ ଚାଷୀ ଯେତେବେଳେ ନିଜର ଧାନ ବିକ୍ରି କରିବାକୁ ଲ୍ୟାମ୍ପସକୁ ଯାଇଥିଲେ ସେମାନଙ୍କ ନାଁରେ ପୂର୍ବରୁ ଧାନ ବିକ୍ରି ହୋଇସାରିଥିବା କୁହାଯାଇଥିଲା।
ଏକଥା ଜାଣି ଚାଷୀମାନେ ବିସ୍ମିତ ହୋଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ଏତଲା ଆଧାରରେ ମାଲକାନଗିରି ପୁଲିସ୍ ପକ୍ଷରୁ ଆଇଆଇସି ରାମ ପ୍ରସାଦ ନାଗ ଘଟଣାର ତଦନ୍ତ କରିଥିଲେ। ଏଥିରେ ଶ୍ୟାମ ସୁନ୍ଦର ପଟ୍ଟନାୟକ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ଜାଣିପାରିଥିଲା। ତେବେ ସଂପ୍ରତି ଶ୍ୟାମ ସୁନ୍ଦର ପଟ୍ଟନାୟକ ତିଖପାଲି ଲ୍ୟାମ୍ପସରୁ ବଦଳି ହୋଇ ଜୟପୁର ଲ୍ୟାମ୍ପସର ଏମ୍ ଡି ଭାବେ କାର୍ଯ୍ୟ କରୁଛନ୍ତି।
ପୁଲିସ ଗତକାଲି ରାତିରେ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏବେ ପୁଲିସ ତାଙ୍କର ଅନ୍ୟ ମଧ୍ୟସ୍ଥି ଏବଂ ଦଲାଲମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି।