ରାୟଗଡା/କାଶୀପୁର/ଟିକିରି: ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଖିଳ ସାଉଁନ୍ତାଙ୍କ ପରଲୋକ ଘଟିଛି। ଗତ କିଛି ମାସ ହେଲା ସେ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ସ୍ଥିତ ନିଜ ବାସଭବନରେ ଗତ ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ଶେଷ ସମୟରେ ପତ୍ନୀ, ୩ପୁଅ, ୨ଝିଅ, ବୋହୂ, ଜାମାତା, ନାତି, ନାତୁଣୀ ଓ ସଂପର୍କୀୟ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାର ହେବାପାରେ ଉଭୟ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ବିଭିନ୍ନ ପ୍ରାନ୍ତରୁ ତାଙ୍କ ସମର୍ଥକ ପହଞ୍ଚି ଶେଷ ଦର୍ଶନ କରି ନିଜ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାୟଗଡ଼ା ବିଧାୟକ ଲାଲ ବିହାରୀ ହିମିରିକା କୁଚେଇପଦର ଗାଁକୁ ଯାଇ ସ୍ୱର୍ଗତ ସାଉନ୍ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ, ସ୍ୱର୍ଗତ ସାଉଁନ୍ତା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ଗ୍ରାମରେ ୧୯୩୮ ମସିହା ନଭେମ୍ବର ୧ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ୧୯୭୭ ମସିହାରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ ମସିହାରେ ବିଜୁ ପଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ଟିକଟରେ ଦ୍ୱିତୀୟ ଥର ବିଧାନସଭାକୁ ଯାଇଥିଲେ। କାଶୀପୁର ଅଞ୍ଚଳରେ ଅଣକଂଗ୍ରେସ ନେତା ଭାବେ ସୁପରିଚିତ ଥିଲେ।
ପୂର୍ବତନ ବିଧାୟକ ଅଖିଳ ସାଉଁନ୍ତାଙ୍କ ପରଲୋକ
/sambad/media/post_attachments/wp-content/uploads/2018/03/rgd-akhil-santa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)