ରାଉରକେଲା/ବଡଗାଁ : ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାନସଭାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କର ଆଜି ରାଉରକେଲା ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ବାସ୍ଥ୍ୟଅବସ୍ଥା ଖରାପ ଥିବାରୁ ପରିବାର ଲୋକ ତାଙ୍କୁ ଗତ ୯ ତାରିଖରେ ସିଡବ୍ଲ୍ୟୁଏସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଜି ଅପରାହ୍ନ ୨.୧୫ ମିନିଟ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀର ନିକଟରେ ସ୍ବର୍ଗତ ପ୍ରଧାନଙ୍କ ପୁଅ ଅଜେକ୍ କୁମାର ପ୍ରଧାନ, ଲିଙ୍ଗରାଜ, ଝିଅ ସୁଜାତା, ଗୀତାଞ୍ଜଳି ସହ ପରିବାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ସ୍ବର୍ଗତ ପ୍ରଧାନଙ୍କ ଶଳା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ତାଙ୍କ ଝିଅ ସୁନୀତା ବିଶ୍ବାଳ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବିର ହୁସେନ, ସୁଶୀଲ କିଣ୍ଡୋ ସମେତ କଂଗ୍ରେସର ବରିଷ୍ଠ ନେତା ପହଞ୍ଚି ଶେଷ ଦର୍ଶନ କରିଥିଲେ। ହସ୍ପିଟାଲରୁ ସ୍ବର୍ଗତ ପ୍ରଧାନଙ୍କ ମରଶରୀରକୁ ତାଙ୍କ ଗାଁ ବଡଗାଁ ବ୍ଲକ ଅନ୍ତର୍ଗତ ରାଇଡିହି ଚେମଥାପଡାକୁ ନିଆଯାଇଛି। ଆସନ୍ତାକାଲି(ଶୁକ୍ରବାର) ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସ୍ବର୍ଗତ ପ୍ରଧାନଙ୍କର ୪ ପୁଅ , ୫ ଝିଅ ଅଛନ୍ତି। ସ୍ବର୍ଗତ ପ୍ରଧାନ ଗତ ୧୯୨୯ ଜୁନ୍ ୧ରେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ବ୍ଲକ ଅନ୍ତର୍ଗତ ରାଇଡିହି ଚେମଥାପଡାରେ ଜନ୍ମ ଗ୍ରହଣ କରିଥିଲେ। ତଲସରା ବିଧାନସଭା କ୍ଷେତ୍ରରେ ୩ଥର, ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଥରେ ବିଧାୟକ ହୋଇଥିଲେ। ୧୯୫୭ରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରୁ ସର୍ବଭାରତୀୟ ଗଣତନ୍ତ୍ର ପରିଷଦ ପାର୍ଟିରୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କୁ ସ୍ବତନ୍ତ୍ରପାର୍ଟିର ରାଜ୍ୟ ସାଧାରଣ ପରିଷଦ ସଭ୍ୟ ଓ ଜିଲ୍ଲା ସମ୍ପାଦକ ଦାୟିତ୍ବ ମିଳିଥିଲା। ୧୯୬୧, ୧୯୬୭ ଓ ୧୯୭୧ରେ ତଲସରା ବିଧାନସଭା କ୍ଷେତ୍ରରୁ ଲଗାତାର ୩ ଥର ନିର୍ବାଚିତ ହୋଇଥିଲେ। ୧୯୭୧ରେ ସ୍ବତନ୍ତ୍ର ପାର୍ଟି ଛାଡି କଂଗ୍ରେସ (ଆର୍) ରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କୁ ଓଡିଶା ମନ୍ତ୍ରୀମଣ୍ଡଳରେ ଜଙ୍ଗଲ, କୃଷି, ପଶୁପାଳନ, ମସ୍ୟ, ଆଦିବାସୀ କଲ୍ୟାଣ, ଗ୍ରାମ୍ୟ ଉନୟନ ଆଦି ମନ୍ତ୍ରୀ ଦାୟିତ୍ବ ମିଳିଥିଲା। ତାଙ୍କ ନେତୃତ୍ୱ ରେ ଭୂୟାଁ ମହାସଭା ଗଠିତ ହୋଇ ସାମାଜିକ ସ୍ତର ର ବହୁ ବିକାଶ କରିଥିଲେ l ତାଙ୍କ ପରଲୋକ ରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l
ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ପରଲୋକ
/sambad/media/post_attachments/wp-content/uploads/2019/05/RKL-GANGADHAR-PRADHAN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)