୯୮ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର

ଗାନ୍ଧୀ ମନ୍ଦିରର ନିର୍ମାତା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଭତରାସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ତଥା ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର (କୁମ୍ଭାର)ଙ୍କର ରବିବାର ସକାଳ ୯ଟା ୪୫ରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୮ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ସେ ଶଯ୍ୟାଶାୟୀ ଥିଲେ। ଶେଷ ଶଯ୍ୟା ନିକଟରେ ପୁଅ ପ୍ରମୋଦ କୁମାର, ବୋହୂ ସଂଧ୍ୟାରାଣୀ, ନାତୁଣୀ ହିଆନା, ଝିଅ ମଞ୍ଜୁଳା, ଜ୍ବାଇଁ ପ୍ରକାଶ ଏବଂ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ଅପରାହ୍‌ଣରେ ନିକଟସ୍ଥ ଖଣ୍ଡୁଆଳ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପ୍ରମୋଦ ମୁଖାଗ୍ନି ଦେଇଥିଲେ।

ଅଭିମନ୍ୟୁ ୧୯୭୧ ମସିହାରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳିରୁ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ପୁଣି ୧୯୮୦, ୧୯୮୫ ଓ ଶେଷଥର ପାଇଁ ୧୯୯୫ରେ ଏହି ଆସନରୁ ବିଜୟୀ ହୋଇ ‌‌ବିଧାନସଭାକୁ ଯାଇଥିଲେ। ଚାରି ଚାରି ଥର ବିଧାୟକ ଥିବା ଅଭିମନ୍ୟୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଯୁବାବସ୍ଥାରୁ ଅଭିମନ୍ୟୁ ନିଜକୁ ଜଣେ ଦଳିତ ନେତା ଭାବେ ପ୍ରତିଷ୍ଠିତ କରି ପାରିଥି‌‌ଲେ। ନିଜ ଲୋକପ୍ରିୟତା ଯୋଗୁଁ ସେ ୪ଟି ପାଳିରେ ଦୀର୍ଘ ୧୮ ବର୍ଷ ଧରି ବିଧାୟକ ରହି ପାରିଥିଲେ। ଶାସନ କେନାଲର ଅଧୁନିକୀକରଣ କାର୍ଯ୍ୟ, ମାଳତି ଯୋର ଉପରେ ଦୁଇଟି ପୋଲ ନିର୍ମାଣ, ମାନେଶ୍ବର ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ସମେତ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଅଭିମନ୍ୟୁ କୁମାରଙ୍କ ପରଲୋକରେ ସମଗ୍ର ଜିଲ୍ଲାରେ ଶୋକର ଲହରୀ ଖୋଳି ଯାଇଛି।

ନିଜ ଶୋକବାର୍ତ୍ତାରେ ପିସିସିର ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ କହିଛନ୍ତି, ଜିଏମ୍‌ କଲେଜରେ ପାଠ ପଢ଼ିଲାବେଳେ ଆମେ ଅଭିମନ୍ୟୁ ବାବୁଙ୍କ ଗାନ୍ଧୀ ବିଚାର ଦ୍ବାରା ପ୍ରଭାବିତ ହୋଇଥିଲୁ।

ଗାନ୍ଧୀ ମନ୍ଦିରର ନିର୍ମାତା
୧୯୩୪ ମସିହାରେ ମହାତ୍ମା ଗାନ୍ଧୀ ସମ୍ବଲପୁର ଆସି ମହାନଦୀ ବାଲି ଉପରେ ଜନସାଧାରଣଙ୍କୁ ଯେଉଁ ଉଦ୍‌ବୋଧନ ଦେଇଥିଲେ, ତାକୁ ଭିଡ଼ ଭିତରେ ଥାଇ ଶୁଣିଥିଲେ ୧୨ ବର୍ଷର ବାଳକ ଅଭିମନ୍ୟୁ। ଗାନ୍ଧୀଙ୍କ ଦର୍ଶନ ଓ ଛୁଆଁଅଛୁଆଁ ଭଳି ସାମାଜିକ କୁସ˚ସ୍କାର ବିରୋଧରେ ଗାନ୍ଧୀଙ୍କ ବାର୍ତ୍ତା ସେତେବେଳେ ବେଶ ପ୍ରଭାବିତ କରିଥିଲା ଅଭିମନ୍ୟୁଙ୍କୁ। ସମୟ ଚକ୍ରରେ ସ୍ବାଧୀନ ଭାରତରେ ୧୯୭୧ ମସିହାରେ ରେଢ଼ାଖୋଲ ନିର୍ବାଚନମଣ୍ତଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଅଭିମନ୍ୟୁ। ବିଧାୟକ ହେବା ପରେ ନିଜ ଗାଁ ଭତରାର ହରିଜନ ସାହିରେ ଗଢ଼ି ତୋଳିଥିଲେ ଏକ ଦେଉଳ। ଆଉ ଦିଅଁଭାବେ ସ୍ଥାପନ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ। ସେହି ଦିନଠାରୁ ସମ୍ବଲପୁର ସହର ଉପକଣ୍ଠ ଭତରା ଗାଁ ପ୍ରସିଦ୍ଧ ହୋଇଛି ବିରଳ ଗାନ୍ଧୀ ମନ୍ଦିର ପାଇଁ।

ସମ୍ବନ୍ଧିତ ଖବର