ଭୁବନେଶ୍ବର/ରାୟଗଡ଼ା : ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ। କିନ୍ତୁ ଏ ଷଡ୍‌ଯନ୍ତ୍ର‌ରେ ସେ ସଫଳ ହୋଇପାରିଲେ ନାହିଁ। ୨୮ ବର୍ଷ ପରେ ସ୍ବତନ୍ତ୍ର ଅତିରିକ୍ତ ଦୌରାଜଜ୍-୩ ବିଚାରପତି ସସ୍ମିତା ପାଢ଼ୀ ଆଜି ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇପିସି ଦଫା-୩୦୨(ହତ୍ୟା) ଓ ୨୦୧(ପ୍ରମାଣ ନଷ୍ଟ କରିବା)ରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ୨୭ ତାରିଖରେ ଦଣ୍ଡବିଧାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଗମାଙ୍ଗୋଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।

Advertisment

ଏମଏଲଏ କଲୋନିରେ ଘଟିଥିଲା ହତ୍ୟାକାଣ୍ଡ
ଆତ୍ମହତ୍ୟା ରୂପ ଦେବା ଚେଷ୍ଟା କରିଥିଲେ
ଶୁଣାଣି ପରେ ଗଲେ ଝାରପଡ଼ା ଜେଲ୍‌

ମାମଲାରୁ ଜଣାପଡ଼ିଛି, ୧୯୯୫ ଅଗଷ୍ଟ ୨୯ ତାରିଖ ସକାଳ ପ୍ରାୟ ୧୦ଟା ୪୫‌ରେ ଶ୍ରୀ ଗମାଙ୍ଗୋ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍‌ଏଲ୍‌ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍‌ରେ ତାଙ୍କ ପତ୍ନୀ ଶଶିରେଖା ଗମା‌ଙ୍ଗୋଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ମର୍ଣ୍ଣିଂଵାକ୍‌ରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଘଟଣା ଦିନ ସକାଳେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସେ ଖବରକାଗଜ ପଢ଼ୁଥିବା ବେଳେ ନିର୍ବାଚନମଣ୍ଡଳୀର କିଛି ଲୋକଙ୍କ ସହ ଆଲୋଚନା କରୁଥିଲେ। ସେହି ସମୟରେ ଶଶିରେଖା ବାଥରୁମ୍‌ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ସେ ଆସିବା ବେଳକୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ। ମାମଲା ସମ୍ବେଦନଶୀଳ ହୋଇଥିବାରୁ ତତ୍କାଳୀନ ଖୋର୍ଦ୍ଧା ଏସ୍‌ପି ବିଜୟ କୁମାର ଶର୍ମା, ଅତିରିକ୍ତ ଏସପି ରଜନୀଶ ରାୟ, ଖାରବେଳନଗର ଥାନାଧିକାରୀ ସୁବାସ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଯିବା ସହ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଘଟଣାକୁ ନେଇ ପୁଲିସର ସନ୍ଦେହ ହୋଇଥିଲା। କ୍ବାର୍ଟର୍ସରେ ଏତେ ଲୋକ ଥାଇ ମଧ୍ୟ କେମିତି ଘଟଣା ସମ୍ପର୍କରେ ଜାଣି ପାରି ନଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତତ୍କାଳୀନ ସବ୍‌-ଇନ୍ସପେକ୍ଟର କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କ ଲିଖିତ ଅଭିଯୋଗ ଆଧାରରେ ୧୯୯୫ ସେପ୍ଟେମ୍ବର ୧ ତାରିଖରେ ଖାରବେଳନଗର ଥାନାରେ କେସ୍ ନଂ-୨୭୦/୨୩ ଓ ଆଇପିସି ଦଫା-୩୦୨ରେ ମାମଲା ରୁଜୁ କରାଯାଇଥିଲା। ଶଶିରେଖା ଗର୍ଭବତୀ ଥିବା ବେଳେ ତାହା ଶିଶୁପୁତ୍ର ବୋଲି ଜଣାପଡ଼ିଥିଲା। ଏହାର ପରଦିନ ୨ ତାରିଖରେ ଶ୍ରୀ ଗମାଙ୍ଗୋଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ପ୍ରାୟ ଦୁଇ ମାସ ଜେଲରେ ରହିବା ପରେ ନଭେମ୍ବର ୧ ତାରିଖରେ ସେ ଜାମିନ୍‌‌ରେ ମୁକୁଳିଥିଲେ। ଏହା ପରେ ମାମଲାର ଶୁଣାଣି ଚାଲିଥିଲେ ମଧ୍ୟ ଅନେକ ସାକ୍ଷୀ ପ୍ରଭାବିତ ହୋଇ ସାରିଥିଲେ।

publive-image ‘ସମ୍ବାଦ’ରେ ପ୍ରକାଶିତ ୨୮ ବର୍ଷ ତଳର ଖବର

ସେହିପରି ରାଜ୍ୟର ଏମପି/ଏମଏଲ୍‌ଏଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ଶୁଣାଣି ଲାଗି ଭୁବନେଶ୍ବରଠାରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ସେଠାକୁ ସ୍ଥାନାନ୍ତର ହୋଇଥିଲା। କରୋନା ଯୋଗୁ ପ୍ରାୟ ଦୁଇବର୍ଷ ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ପ୍ରାୟ ବର୍ଷେ ଧରି ଶୁଣାଣି ଚାଲିଥିବା ବେଳେ ଆଜି ଅଭିଯୁକ୍ତ ଶ୍ରୀ ଗମାଙ୍ଗୋ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପତ୍ନୀ ଶଶିରେଖାଙ୍କୁ ହତ୍ୟା କରିବା ପରେ କିରାସିନି ଢାଳି ଜାଳିଦେବା ପାଇଁ ଉଦ୍ୟମ କରିଥିଲେ। ପ୍ରମାଣ ନଷ୍ଟ ପାଇଁ ସେ ଏଭଳି କରିଥିବା କୋର୍ଟରେ ପ୍ରମାଣିତ ହୋଇଥିଲା। ସାକ୍ଷୀ ପ୍ରଭାବିତ ହୋଇଥିବାରୁ ଡାକ୍ତର, ତଦନ୍ତକାରୀ ଅଧିକାରୀ ଓ ସାଇଣ୍ଟିଫିକ୍ ଅଧିକାରୀଙ୍କ ବୟାନ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାର୍ଶ୍ବିକ ପରିସ୍ଥିତି ଓ ସାଇଣ୍ଟିଫିକ୍ ରିପୋର୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ। ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ବାହାରିବା ସମୟରେ ରାୟ ବିରୋଧରେ ହାଇକୋର୍ଟକୁ ଯିବେ ବୋଲି ଶ୍ରୀ ଗମା‌ଙ୍ଗୋ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ, ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳ ଟିକେଟ୍‌ରେ ଲଢ଼ି ବିଜୟ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ। କିନ୍ତୁ ୧୯୯୫ ବିଧାନସଭା ନିର୍ବାଚନରେ କଂଗ୍ରେସର ଯୁବପ୍ରାର୍ଥୀ ଅକ୍ଷୟ ଗମାଙ୍ଗ ଠାରୁ ପରାସ୍ତ ହୋଇଥିଲେ। ନିର୍ବାଚନର କିଛି ମାସ ପରେ ପଦ୍ମପୁର ସ୍ଥିତ ବାସଭବନରେ ବିଧାୟକ ଅକ୍ଷୟ ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତେଣୁ ଉପନିର୍ବାଚନ ଲଢ଼ିବାକୁ ରାମମୂର୍ତ୍ତି ସଜବାଜ ହେବା ବେଳକୁ ପତ୍ନୀ ଶଶିରେଖାଙ୍କ ମୃତ୍ୟୁ ହୋଇଥିଲା। ତଥାପି ରାମମୂର୍ତ୍ତିଙ୍କୁ ଉପନିର୍ବାଚନ ଲଢ଼ାଇବା ପାଇଁ ଜନତା ଦଳ ପକ୍ଷରୁ ବିଚାର ଚାଲିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଜୟନ୍ତୀ ପଟ୍ଟନାୟକଙ୍କ ସମେତ ବହୁ ମହିଳା ସଂଗଠନ ରାମମୂର୍ତ୍ତିଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ରାମମୂର୍ତ୍ତି ଜନତା ଦଳ ଛାଡ଼ିବା ପରେ ୨୦୦୦ ମସିହାରେ ବିଜେପି ପ୍ରାର୍ଥୀ ଭାବେ ଦ୍ବିତୀୟ ଥର ବିଧାୟକ ନିର୍ବାଚିତ ହୋଇଥିଲେ।