ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ତି : ମଙ୍ଗଳବାର ରାତିରେ ବିଶିଷ୍ଟ ଆଦିବାସୀ ନେତା ତଥା ଗଜପତି ଜିଲ୍ଲା ରାମଗିରିର ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଦୁଇଦିନ ପୂର୍ବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀକାକୁଲମ ନିଆ ଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଭାଇ ମନୋଜ ପାଇକ, ପାରଳା ପୌରପାଳିକାର ପୂର୍ବତନ ଉପନଗରପାଳ ପୁଷ୍ପାଞ୍ଜଳି ପାଇକଙ୍କ ସମେତ ପୁଅ ଓ ଝିଅ ଉପସ୍ଥିତ ଥିଲେ।

ଗୁମ୍ମା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ କୁଜାସି˚ ଗ୍ରାମରେ ଭରତ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ଡାକ ସେବାରେ କାର୍ଯ୍ୟରତ ଥିଲେ। ପାଠ ପଢ଼ାରେ ଆଗ୍ରହ ତାଙ୍କୁ ପାରଳାଖେମୁଣ୍ତିକୁ ଟାଣି ଆଣିଥିଲା। ସେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବ˚ ପରବର୍ତ୍ତୀ ସମୟରେ ଏସ୍‌କେସିଜି ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଛାତ୍ର ଜୀବନରୁ ହିଁ ବିଭିନ୍ନ କାର୍ଯ୍ୟକ୍ରମର ନେତୃତ୍ବ ନେବା ପାଇଁ ତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଫଳରେ ସେ ମହାବିଦ୍ୟାଳୟର ସଭାପତି ହେବାର ସୁଯୋଗ ପାଇଥିଲେ। ମହାବିଦ୍ୟାଳୟର ଉନ୍ନତି ପାଇଁ ସେ ବହୁବାର ଆନ୍ଦୋଳନର ନେତୃତ୍ବ ନେଇଥିଲେ। ରାଜନୀତି ପ୍ରତି ତାଙ୍କ ଆଗ୍ରହ ଗଜପତି ଉନ୍ନୟନ କମିଟି ନାମକ ଏକ ସ˚ସ୍ଥା ସୃଷ୍ଟି କରିବା ପାଇଁ ପ୍ରେରଣା ଯୋଗାଇଥିଲା। ପରବର୍ତ୍ତୀ ସମୟରେ ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ˚ସ୍ପର୍ଶରେ ଆସି ଜନତା ଦଳରେ ଯୋଗ ଦେଇଥିଲେ। ରାମଗିରି ବିଧାନସଭା ଆସନରୁ ଲଢ଼ିବା ପାଇଁ ସୁଯୋଗ ପାଇଥିଲେ। ପରେ ସେ ଭାଜପାରେ ଯୋଗ ଦେଇ ଜିଲ୍ଲାର ସା˚ଗଠନିକ ଦାୟିତ୍ବ ଗ୍ରହଣ କରିଥିଲେ ।

ରାମଗିରି ବିଧାନସଭା ଆସନରୁ ଭାଜପା ଟିକଟରେ ବିଜୟ ଲାଭ କରିଥିବା ସ୍ବର୍ଗତ ପାଇକ ମନ୍ତ୍ରୀ ହଳଧର କାର୍ଜୀଙ୍କୁ ହରାଇ ଇତିହାସ ସୃଷ୍ଟି କରିଥିଲେ । ୨୦୦୯ ମସିହାରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ରାମଗିରି ନିର୍ବାଚନମଣ୍ତଳୀ ଉଚ୍ଛେଦ ହୋଇ ମୋହନା ନିର୍ବାଚନ ମଣ୍ତଳୀରେ ଯୋଡ଼ି ଦିଆଯାଇଥିଲା। ପରବର୍ତ୍ତୀ ନିର୍ବାଚନରେ ଭାଜପା ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ ପରାଜିତ ହେବା ପରେ ଦଳ ପୁଣି ଥରେ ୨୦୧୪ରେ ଭରତଙ୍କୁ ମୋହନା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ୨୦୧୯ରେ ସେ ଟିକଟ ନପାଇ ସ୍ବାଧୀନ ଭାବେ ଲଢ଼ିଥିଲେ।

ଗତବର୍ଷ ସେ ବିଜେଡିରେ ଯୋଗଦାନ କରିଥିଲେ। ଜଣେ ଆଦିବାସୀ ନେତା ଭାବେ ଜିଲ୍ଲାର ୭ଟି ଯାକ ବ୍ଲକ୍‌ରେ ତାଙ୍କର ଲୋକପ୍ରିୟତା ରହିଥିଲା। ଅସୁସ୍ଥତା ଯୋଗୁଁ ସେ ସକ୍ରିୟ ରାଜନୀତିଠାରୁ ଦୂରରେ ରହିଥିଲେ। ଆନ୍ଧ୍ର ସରକାରଙ୍କ ବିଭିନ୍ନ ସମୟରେ ଓଡ଼ିଶା ଉପରେ ଦାଦାଗିରିକୁ ସବୁବେଳେ ସେ ବିରୋଧ କରି ଆସିଥି‌ଲେ। ଏଭଳିକି, ଆନ୍ଧ୍ର ସରକାର ମହେନ୍ଦ୍ରତନୟା ନଦୀ ପାଣିକୁ ଅଟକାଇବା ପାଇଁ ପଲାସା ନିକଟ ରେଗୁଲାପାଡୁଠାରେ ଡ୍ୟାମ୍‌ ବାନ୍ଧିବା ପାଇଁ ଶୁଭ ଦେଇଥିବା ବେଳେ ଭରତ ଏହାକୁ ବିରୋଧ କରିବା ସହ ଏହା ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ। ଆନ୍ଧ୍ରର ଦାଦାଗିରି ବିରୋଧରେ ଓଡ଼ିଶା ବିଧାନସଭାରେ ପ୍ରଶ୍ନ ଉପସ୍ଥାପନ କରିବା ସହ ଉପରମୁଣ୍ତରେ ଥିବା ରାୟଗଡ଼ ବ୍ଲକ୍‌ର ଚମ୍ପାପୁର ଏବ˚ ଡାମ୍ବାପୁରଠାରେ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରିଥିଲେ।

ଶିକ୍ଷାର ଉନ୍ନତି ପାଇଁ ରାୟଗଡ଼ ବ୍ଲକ୍‌ ସେବକପୁରରେ ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟ ଏବ˚ ଜିରାଙ୍ଗରେ ସରକାରୀ ବିଜ୍ଞନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ‌ତାଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କ ବିୟୋଗରେ ପାରଳାଖେମୁଣ୍ତି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା, ପାରଳା ସ୍ବାଭିମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ବସନ୍ତ ଦାଶ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ବତନ ବିଧାୟିକା ସୁଶ୍ରୀ ବାସନ୍ତୀ ମଲ୍ଲିକ, ଜେମସ୍‌ ରାଇକା, ପୂର୍ବତନ ନଗରପାଳ ନୃସି˚ହ ଚରଣ ପଟ୍ଟନାୟକ, ପି.କ୍ରିଷ୍ଣା, ସିଦ୍ଧେଶ୍ବର ମିଶ୍ର, ଜଗନ୍ନାଥ ମହାପାତ୍ର, ପୂର୍ବତନ କାଉନସିଲର ଜି. ବିଜୟ କୁମାର, ବିଭୂତି ବେହେରା (ବାବୁନା), ଜିଲ୍ଲା ଔଷଧ ବ୍ୟବସାୟୀ ସ˚ଘର ସଭାପତି ଦେବାଶିଷ ପାଢୀଙ୍କ ସମେତ ଗଜପତି ଜିଲ୍ଲା ବରିଷ୍ଠ ନାଗରିକ କମିଟିର ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର