ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

ଜଗତସିଂହପୁର/କୁଜଙ୍ଗ : ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ଅବିଭକ୍ତ ଏରମସା ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ତଥା କଂଗ୍ରେସ ନେତା ବିଜୟ ନାୟକଙ୍କର ଆଜି ପୂର୍ବାହ୍ନ ୯ଟା ୪୫ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।

ବିଜୟ ନାୟକ ଏରସମା ବ୍ଲକ୍ ତଥା କୁଜଙ୍ଗ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କଟକରେ ପାଠ ପଢିଲା ବେଳେ ଛାତ୍ର ରାଜନୀତିରେ ନିଜକୁ ସାମିଲ୍‌ କରିଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେବା ସହିତ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୫ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ପରାସ୍ତ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେ ମଧ୍ୟ ଦୀର୍ଘଦିନ ଧରି କଟକ ବସ୍ ମାଲିକ ସଂଘର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ଆଜି ମୃତ୍ୟୁ ପରେ ତାଙ୍କର ମରଶରୀରକୁ ଭୁବନେଶ୍ୱର କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବଡ଼ପୁଅ ସାର୍ଥକ ନାୟକ ମୁଖାଗ୍ନି ଦେଇଥିଲେ।

ବିଜୟଙ୍କ ପରଲୋକରେ ଜନ୍ମସ୍ଥାନ ଗୋବିନ୍ଦପୁର ଓ କର୍ମକ୍ଷେତ୍ର କୁଜଙ୍ଗରେ ଗଭୀର ଶୋକପ୍ରକାଶ ପାଇଛି। ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ, ପୂର୍ବତନ ସାଂସଦ ଡ. କୁଳମଣି ସମାଲ, ବିଧାୟକ ସମ୍ବିତ୍ ରାଉତରାୟ, କଂଗ୍ରେସ ନେତା ବାପି ସର୍ଖେଲ, ବିଜେପି ନେତା ସମ୍ପଦ ସ୍ୱାଇଁ, ଶ୍ରମିକ ନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବ୍ଲକ୍ କଂଗ୍ରେସ ସଭାପତି ରମେଶ ଦାସ, ଏଏନ୍‌ଡି ଯାଦବ, ସାଂସଦ ପ୍ରତିନିଧି ସୁଢ଼ଳ କୁମାର ସ୍ବାଇଁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ମଧ୍ୟ ଶୋକବ୍ୟକ୍ତ କରିଥିବା ବେଳେ କୁଜଙ୍ଗ ସ୍ଥିତ ମହାବୀର ମନ୍ଦିର ପରିସରରେ ଆଜି ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ସାମାଜିକ କର୍ମୀ ବାବୁରାମ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ କବି ପୀତାମ୍ବର ତରାଇ, ଅଧ୍ୟାପକ ପ୍ରତାପ କୁମାର ମହାପାତ୍ର, ଅନଙ୍ଗ କୁମାର ମହାପାତ୍ର, ଦ୍ୱିଜବର ବେହେରା, ଶ୍ରୀନିବାସ ଜୁଝାର ସିଂହ, ରମେଶ ମୁଦୁଲି, ବିଜୟ ଖଟେଇ, ହେମନ୍ତ ପାଣିଗ୍ରାହୀ, ଶିକ୍ଷାବିତ୍ ଗୋପବନ୍ଧୁ ଓଝା, ସୁବାସ ସାମନ୍ତରାୟ, କବି ଶଙ୍କର ଦାସ, ଇଂ. ଆକାଶ ଭୂୟାଁ , ଗୋପାଳ ଦାସ, କୃଷ୍ଣଚନ୍ଦ୍ର ଦାସ, ପ୍ରସନ୍ନ ସ୍ୱାଇଁ, ନିତ୍ୟାନନ୍ଦ ଦାସ ପ୍ରମୁଖ ସ୍ବର୍ଗତଃ ନାୟକଙ୍କର ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର