ପୂର୍ବତନ ବିଧାୟକ ଚିନ୍ତାମଣି ଜେନାଙ୍କ ପରଲୋକ

ବନ୍ତ : ପୂର୍ବତନ ବିଧାୟକ ଚିନ୍ତାମଣି ଜେନାଙ୍କର ବୁଧବାର ସକାଳ ସାଢ଼େ ୬ଟା ସମୟରେ ବନ୍ତ ବ୍ଲକ୍ ପଧାନପଡ଼ା ପଞ୍ଚାୟତ ନିମପଲ୍ଲୀ ଗ୍ରାମସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ସେ ଘରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇପୁତ୍ର ରବୀନ୍ଦ୍ର, ଜୟନ୍ତ, ଦୁଇଝିଅ ଓ ଜ୍ବାଇଁ, ନାତିନାତୁଣୀ, ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ପୁଅ ଶିକ୍ଷକ ରବୀନ୍ଦ୍ର ଜେନା ମୁଖାଗ୍ନି ଦେଇଥିଲେ। ଚିନ୍ତାମଣିଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସିପିଆଇ ବନ୍ତ ଜୋନ୍ କମିଟିର ପ୍ରାକ୍ତନ ସମ୍ପାଦକ ଗୋପବନ୍ଧୁ ସେଠୀ, ଜୋନ୍ ସମ୍ପାଦକ ରମେଶ ଚନ୍ଦ୍ର ଜେନା, ରବୀନ୍ଦ୍ର ସେଠୀ, ନିରଞ୍ଜନ ନାୟକ, ସମିତି ସଭ୍ୟ ରତିକାନ୍ତ ଜେନା, ସିପିଆଇଏମ୍ ନେତା ପ୍ରଭାସ ମହାପାତ୍ର, ଆଇନଜୀବୀ ପ୍ରତାପ ସେଠୀ, ଅଧ୍ୟାପକ ମହେଶ୍ବର ମଲ୍ଲିକ, ବନ୍ତ ଆଞ୍ଚଳିକ କମିଟି ସଭାପତି ରବୀନ୍ଦ୍ର କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଗୃହରେ ପହ‌ଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଛାତ୍ରବସ୍ଥାରୁ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ସ୍ବର୍ଗତ ଜେନା ୧୯୭୧ ମସିହାରେ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ସିମୁଳିଆ-ବନ୍ତ ବିଧାନସଭା ନିର୍ବାଚନ ମଣ୍ତଳୀରୁ କମ୍ୟୁନିଷ୍ଟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଧାୟକ ନିର୍ବାଚିତ ହୋଇଥିଲେ। ସରଳ ଜୀବନଯାପନ ସାଙ୍ଗକୁ ନିଜର ଅମାୟିକ ବ୍ୟବହାର ପାଇଁ ସେ ସୁନାମ ଅର୍ଜନ କରିବା ସହ ଜଣେ ସଂସ୍କୃତିପ୍ରେମୀ ମଣିଷ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ ବିଶିଷ୍ଟ ପାଲାଗାୟକ, ନାଟକ ଲେଖକ ଓ ନିର୍ଦେଶକ ଭାବେ ମଧ୍ୟ ତାଙ୍କର ପରିଚୟ ଥିଲା। ତାଙ୍କ ପରଲୋକରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର