ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

କଂଗ୍ରେସ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭଦ୍ରକ/ଧାମନଗର/ଅସୁରାଳି : କ˚ଗ୍ରେସର ବରିଷ୍ଠ ନେତା ପୂର୍ବତନମନ୍ତ୍ରୀ ଧାମନଗରର ପୂର୍ବତନ ବିଧାୟକ ଜଗନ୍ନାଥ ରାଉତ (୭୭)ଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଦିନ ପ୍ରାୟ ୧୨ଟା ବେଳେ ଇହଧାମ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ ବାସନ୍ତୀଲତା, ପୁଅ ଅଭିଷେକ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

୧୯୭୦ ଦଶକରେ ଧୂଷୁରୀ ମୂରଲୀଧର ହାଇସ୍କୁଲ୍‌ରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଜଗନ୍ନାଥ ବାବୁ ପରବର୍ତ୍ତୀ ସମୟରେ ଜାତୀୟ କ˚ଗ୍ରେସରେ ଯୋଗ ଦେଇ ସକ୍ରିୟ ରାଜନୀତିକୁ ଆସିଥିଲେ। ୧୯୮୦ ମସିହାରେ ଧାମନଗର ବିଧାନସଭା କ୍ଷେତ୍ରରୁ କ˚ଗ୍ରେସରୁ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ୧୯୮୫ ଓ ୧୯୯୫ ମସିହାରେ ପୁଣି କ˚ଗ୍ରେସ ବିଧାୟକ ଭାବେ ଧାମନଗର ଆସନରୁ ବିଜୟୀ ହୋଇଥିଲେ। ୧୯୮୯ ମସିହାରେ ପ୍ରଥମ ଥର ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ତଳରେ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୫ରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସେ ଏକାନ୍ତ ଅନୁଗତ ଥିଲେ। ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଜନେତା ଭାବେ ଅବିଭକ୍ତ ବାଲେଶ୍ବର ଜିଲ୍ଲା ରାଜନୀତିରେ ଏକଦା ପ୍ରଭାବ ବିସ୍ତାର କରିଥିବା ଶ୍ରୀ ରାଉତ ବାଲେଶ୍ବର ଜିଲ୍ଲା କ˚ଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୯ ମସିହାରେ ଧାମନଗର ବିଧାନସଭା କ୍ଷେତ୍ର ସ˚ରକ୍ଷିତ ହେବା ପରେ ସେ ସକ୍ରିୟ ରାଜନୀତିରୁ ଏକ ପ୍ରକାର ଦୂରେଇ ଯାଇଥିଲେ। ଜଣେ ଶିକ୍ଷାବିତ୍‌ ଭାବେ ପରିଚିତ ଜଗନ୍ନାଥ ବାବୁ ନିଜର ଅନନ୍ୟ ବ୍ୟକ୍ତିତ୍ବ ଓ ଦରଦୀ ପଣ ପାଇଁ ଧାମନଗରବାସୀଙ୍କ ପ୍ରିୟ ଥିଲେ। ତାଙ୍କ ମରଶରୀରକୁ ଭୁବନେଶ୍ବରସ୍ଥ ବାସଭବନରୁ କ˚ଗ୍ରେସ କାର୍ଯ୍ୟାଳୟକୁ ନିଆଯାଇ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା। ସେଠାରୁ ଆଜି ରାତିରେ ତାଙ୍କର ପାର୍ଥିବ ଶରୀର ଭଦ୍ରକ ଅଣାଯାଇଛି। ଜନ୍ମସ୍ଥାନ ଧୂଷୁରୀ ବାହାରବିଲ ଗ୍ରାମରେ ଶେଷକୃତ୍ୟ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

କଂଗ୍ରେସ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ଅପରାହ୍ନରେ ସ୍ବର୍ଗତଃ ରାଉତଙ୍କ ପାର୍ଥିବ ଶରୀର ସ୍ଥାନୀୟ କଂଗ୍ରେସ ଭବନରେ ପହଞ୍ଚିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶେଷ ସମ୍ମାନ ଜଣାଇଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ପଞ୍ଚାନନ କାନୁନଗୋ, କିଶୋର ଜେନା, କୁମାର ଚିରଞ୍ଜୀବ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର