ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ପୂର୍ବତନ ବିଧାୟକ ମୁରଲୀଧର କୁଅଁରଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଶ୍ରୀ କୁଅଁର କିଛିଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ଆଜି ଅପରାହ୍ଣ ପ୍ରାୟ ୨.୩୫ରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମରଶରୀରକୁ ଆଜି ରାତିରେ ମଦନପୁରସ୍ଥିତ ବାସଭବନକୁ ଅଣାଯିବା ପରେ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବବୋଲି ପରିବାର ସୂତ୍ରରୁ ପ୍ରକାଶ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୩୨ ମସିହା ଜୁଲାଇ ୧୭ ତାରିଖରେ ଜନ୍ମିତ ଶ୍ରୀ କୁଅଁର ୧୯୫୭ ମସିହାରେ ଘସିପୁରା ବ୍ଲକର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ୧୯୬୧ରେ ରାମଚନ୍ଦ୍ରପୁର (ବର୍ତ୍ତମାନ ଘସିପୁରା) ନିର୍ବାଚନମଣ୍ଡଳୀରୁ କଂଗ୍ରେସ୍ ଟିକଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୭୧ ଓ ୧୯୭୪ରେ ମଧ୍ୟ ସେ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ଵକୁ ବିରୋଧ କରି ଶ୍ରୀ କୁଅଁର, ଡ. ହରେକୃଷ୍ଣ ମହତାବଙ୍କ ସହ ମିଶି କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ। ସେ ବିଧାନସଭା ପବ୍ଲିକ୍ ଆକାଉଣ୍ଟ କମିଟି (ପିଏସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ରାଜ୍ୟ ରାଜନୀତିର ସେ ଜଣେ ଟାଣୁଆ ନେତାଭାବେ ପରିଚିତ ଥିଲେ। ବିରୋଧୀଦଳରେ ଥାଇ ମଧ୍ୟ ତାଙ୍କ ପ୍ରଚେଷ୍ଟାରେ ରେମାଳ, ଷେଣ୍ଢେଇ, ଗଣ୍ଡା ଜଳସେଚନ ପ୍ରକଳ୍ପ, ବୀରଗୋବିନ୍ଦପୁରରେ ବୈତରଣୀ ବ୍ୟାରେଜ୍ର ଶିଳାନ୍ୟାସ, ଆନନ୍ଦପୁର କଲେଜ, ଝାଡ଼େଶ୍ୱର ହାଇସ୍କୁଲ, କୁଶଳେଶ୍ୱର ବାଳିକା ହାଇସ୍କୁଲ, ଶାଳପଡ଼ା ଜଳସେଚନ ଡିଭିଜନ ପ୍ରତିଷ୍ଠା ହୋଇଥିଲା। ତାଙ୍କ ବିୟୋଗରେ ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।