ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକାତାରୁ ନିଖୋଜ!

ଢ଼େଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ରବିବାର କୋଲକାତାରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ନିଜର ବ୍ୟକ୍ତିଗତ କାମରେ ବିଧାୟକ ଶ୍ରୀ ନନ୍ଦ ଗତ ଜୁନ ୨୯ରେ କୋଲକାତା ଯାଇଥିଲେ। ବାପାଙ୍କ ନିଖୋଜ ସଂପର୍କରେ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି, ବାପାଙ୍କ ଫୋନ ସୁଇଚ୍‌ ଅଫ୍‌ ଅଛି। କୋଲକାତାରୁ ଆଜି ସେ ଘରକୁ ଫେରିବାର ଥିଲା। କିନ୍ତୁ ତାଙ୍କର କୌଣସି ଖୋଜଖବର ନମିଳିବାରୁ କୋଲକାତା ଆସିଛି ବୋଲି ସମ୍ବିତ କହିଛନ୍ତି।

ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ବ୍ୟକ୍ତିଗତ କାମରେ ଅନେକ ଥର କୋଲକାତା ଏକାକି ଯାଇଥାନ୍ତି। ସେହିଭଳି ଗତ ଜୁନ ୨୯ରେ ମଧ୍ୟ ସେ ଏକାକି ଯାଇଥିଲେ। ସେ ସେକସ୍ପିିୟର ସାରଣୀସ୍ଥିତ ହୋଟେଲ ‘ଆରିଶ’ର ୪୦୩ ନମ୍ବର ରୁମରେ ରହୁଥିଲେ। ସମ୍ବିତ ଶେଷଥର ପାଇଁ ଜୁନ ୩୦ ସନ୍ଧ୍ୟାରେ ମୋବାଇଲ ଯୋଗେ ବାପାଙ୍କ ସହିତ କଥା ହୋଇଥିଲେ। ମାତ୍ର ସେହି ସମୟରେ ନବୀନ ନନ୍ଦଙ୍କ ଗୋଟିଏ ମୋବାଇଲ ଫୋନ୍‌ ସୁଇଚ ଅଫ୍‌ ଥିଲା। ଆଜି ସକାଳୁ ସବୁ ମୋବାଇଲ ନମ୍ବର ସୁଇଚ ଅଫ ଥିବାରୁ ସମ୍ବିତ ବ୍ୟସ୍ତ ହୋଇ ପଡ଼ିଥିଲେ ଓ କୋଲକାତା ଯାତ୍ରା କରିଛନ୍ତି। ନବୀନ ରହୁଥିବା ହୋଟେଲ ରୁମ୍‌ରେ ସବୁ ଜିନିଷ ପତ୍ର ରହିଛି। ନିଖୋଜ ନେଇ ସମ୍ବିତ ନନ୍ଦ ସେକସ୍ପିିୟର ସାରଣୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଗତ ଜୁନ ୪ରେ ନବୀନ ନନ୍ଦଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା। ଗଦିଅାଁ ବ୍ଲକର ଠାକୁରପାଳ ଗାଁକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ନବୀନଙ୍କ କାର ଉପରକୁ ବୋମା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାରୁ ନବୀନ ନନ୍ଦ ବର୍ତ୍ତି ଯାଇଥିବା ବେଳେ ତାଙ୍କ କାର ପଛ ପଟ କାଚ ଭାଙ୍ଗି ଯାଇଥିଲା। ଘଟଣା ଦିନ ନବୀନ ସ୍ୱାଭିମାନ ଜନ ସଂପର୍କ ଯାତ୍ରାରେ ସାମିଲ ହେବାର ଥିଲା।

ସମ୍ବନ୍ଧିତ ଖବର