ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ସର୍ତ୍ତମୂଳନ ଜାମିନ ଦେଇଥିବା ଜଣାଯାଇଛି। ଗତ ଏପ୍ରିଲ  ୨ ତାରିଖ ଦିନ ରାୟଗଡ଼ ସେସନ ଜକ୍ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୋଧରେ ଅନୁପ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ ଜଷ୍ଟିସ ଦୀପକ ତିୱାରୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଅନୁପ ସାଏଙ୍କୁ ଜାମିନ ମଞ୍ଜୁର କରିଥିବା ଜଣାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଜଜ୍ମେଣ୍ଟ କପି ମିଳିନଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ।

Advertisment

୨୦୧୬ ମସିହା ମଇ ମାସରେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ସମ୍ବଲପୁରୀ ବଙ୍ଗୁରସିଆ ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ଦୁଇଟି ମହିଳାଙ୍କ ମୃତଦେହ ମିଳିଥିଲା। ଉଭୟ ମହିଳାଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ମୃତକମାନଙ୍କୁ ଚିହ୍ନଟ କରାଯାଇ ପାରିନଥିବା ବେଳେ ଏନେଇ ସଂପୃକ୍ତ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

୨୦୨୦ ମସିହା ଫେବ୍ରୁଆରି ୧୩ ତାରିଖ ଦିନ ଚକ୍ରଧରନଗର ଥାନା ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଶ୍ରୀ ସାଏ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରିଥିଲା। ଗୋଟିଏ ଦିନ ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ମଧ୍ୟ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା କହି ଗିରଫ କରିଥିଲା। ମୃତ ମହିଳା ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ବୋଲି ପୁଲିସ ତଦନ୍ତ କରି ଜାଣି ପାରିଥିଲା। ମୃତ କଳ୍ପନା ଦାସ (୩୨)ଙ୍କୁ ତାଙ୍କ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିବା ବେଳେ ମୃତ ବବ୍ଲି(୧୪) ସୁନୀଲର ଝିଅ ବୋଲି ପୁଲିସ ସୂଚନା ଦେଇଥିଲା। ଛାଡ଼ପତ୍ର ପରେ କଳ୍ପନାଙ୍କ ବାପା ତାଙ୍କୁ ଓ ତାଙ୍କ ଝିଅ ବବଲିକୁ ଅନୁପଙ୍କ ପାଖକୁ ସହାୟତା ପାଇଁ ନେଇଥିଲେ। ଅନୁପ ଏହି ଅସହାୟ ମାଁ ଓ ଝିଅକୁ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ପରେ ଏମାନଙ୍କୁ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଅନୁପଙ୍କ ଏଥିରେ ସଂପୃକ୍ତି ଥିବା ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରାୟଗଡ଼ କୋର୍ଟ ଗତ ୭.୧୦.୨୧ରେ ଡ୍ରାଇଭର ବର୍ଦ୍ଧନକୁ ମୁକ୍ତ କରିଥିବା ବେଳେ ୨.୪.୨୨ରେ କୋର୍ଟ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲା। ରାୟଗଡ଼ କୋର୍ଟର ରାୟ ବିରୋଧରେ ବିଲାସପୁର ହାଇକୋର୍ଟରେ ଅପିଲ କରାଯାଇଥିଲା। ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଥିବା ଜଣାଯାଇଛି। ଓକିଲ ସମର୍ଥ ସିଂ ମାରହାସ ଓ ଡିଏଲ ଦେୱାଙ୍ଗ ମକଦ୍ଦମା ପରିଚାଳନା କରୁଥିବା ପ୍ରକାଶ।