ଭୁବନେଶ୍ବର: ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଦୀର୍ଘ ୧୦ମାସ ପରେ ଜେଲରୁ ବାହାରିଛନ୍ତି।
ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତୃତୀୟ ୨୦୨୩ ଜୁଲାଇ ୩୧ତାରିଖରେ ନାରାୟଣ ରେଡ୍ଡୀଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାକୁ ନେଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ନାରାୟଣ। ଗତକାଲି ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ନାରାୟଣ ରେଡି ଓ ତାଙ୍କ ପୁତୁରା ଦିଲ୍ଲୀପ ରେଡି ଓ କାଳିପଲ୍ଲୀ ପଂଚାୟତର ପୁର୍ବତନ ସମିତି ସଭ୍ୟ କାମରାଜୁ ବ୍ରହ୍ପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି। ଜେଲରୁ ବାହାରିବା ପରେ ସମର୍ଥକ ଓ ସିପିଆଇ କର୍ମୀମାନେ ପୂର୍ବତନ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ହାଇକୋର୍ଟରୁ ମିଳିଥିବା ଆନ୍ତରିଣ ଜାମିନ ନିୟମିତ ହେବା ନେଇ ଆଶା ରଖିଛନ୍ତି ନାରାୟଣ ରେଡ୍ଡୀ।
ତେବେ ୧୯୯୮ ଜୁନ ୧୬ରେ ଗଞ୍ଜାମ ଜିଲ୍ଲା ସିନ୍ଧିଗାଁରେ ଟାଟା ପ୍ରକଳ୍ପ ଲାଗି ଜମି ଅଧିକରଣ ସମୟରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଗଞ୍ଜାମ ପୁଲିସ ଜିଲ୍ଲାର କାର୍ଯ୍ୟରତ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ଉପରକୁ କେହି ବୋମା ଫିଙ୍ଗିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତତ୍କାଳୀନ ଜିଲ୍ଲାପାଳ ଓ ଏସ୍ପିଙ୍କ ସିକ୍ୟୁରିଟି ଅଫିସରଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ୨ଟି ଘଟଣାରେ ୨୨ଜଣଙ୍କ ନାମରେ ମାମଲା ହୋଇଥିଲା।
ମାମଲାର ଶୁଣାଣି ବେଳକୁ ୬ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଅକର୍ମଣ୍ୟ ହୋଇଥିଲେ। ମୋଟ ୬୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ ତୃତୀୟ। ଗତକାଲି ସଂଧ୍ୟାରେ ନାରାୟଣଙ୍କ ସମେତ ତାଙ୍କ ଦୁଇ ସହଯୋଗୀ ଜେଲରୁ ବାହାରିଥିବା ବେଳେ ଖୁବଶୀଘ୍ର ଏହି ମାମଲାରେ ଅନ୍ୟ ୧୦ଜଣ ମଧ୍ୟ ଅନ୍ତରୀଣ ଜାମିନରେ ବାହାରିବେ ବୋଲି କହିଛନ୍ତି ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Screen-Shot-2024-05-23-at-6.05.07-PM-750x430-1.png)