ଦଳ ତାଙ୍କୁ ଠକିଛି ଓ ଅଣଦେଖା କରିଛି ବୋଲି କହିଲେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ଭରତ ପାଇକ

ଭୁବନେଶ୍ୱର: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମୋହନାର ପୂର୍ବତନ ବିଧାୟକ ଭରତ ପାଇକ ଇସ୍ତଫା ଦେଇଛନ୍ତି। ଟିକେଟ୍‌ ନମିଳିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଦଳ ତାଙ୍କୁ ଏବଂ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତାକୁ ଠକିଛି ଓ ଅଣଦେଖା କରିଛି। ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଥିଲେ। ଦଳ ନ ବଦଳାଇ ଗୋଟିଏ ଦଳରେ ବଜାୟ ରହିଥିଲେ । ସେ ବିଜେପିରେ ରହି ପଞ୍ଚାୟତ ସମିତି ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ ପ୍ରାର୍ଥୀ, ୨୦୦୯ରେ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ଏବଂ ବର୍ଷ ୨୦୧୪ରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଛନ୍ତି । ୨୦୧୪ରେ କମ୍‌ ଭୋଟ୍‌ ବ୍ୟବଧାନରେ ସେ ମୋହନାରୁ ହାରିଥିଲେ। ଭରତ ପାଇକ ଗଜପତି ଜିଲ୍ଲାର ବିଜେପି ସଭାପତି ଏବଂ ରାଜ୍ୟ ବିଜେପି ଉପସଭାପତି ଥିଲେ ।

ଭରତ ପାଇକ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି କି, ଦଳର ବରିଷ୍ଠ ଓ ବିଶ୍ୱସ୍ତ ନେତାଙ୍କୁ ଟିକେଟ୍‌ ଦିଆ ନଯାଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀଙ୍କୁ ଭରସା କରାଯାଇଛି। ଏହା ତାଙ୍କୁ ଅତି ବ୍ୟଥିତ କରିଛି । ସେ କହିଛନ୍ତି, ମୁଁ ଲୋକଙ୍କ ପାଇଁ କାମ କରିବାକୁ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ରାଜନୀତିରେ ପାଦ ଦେଇଥିଲି । ଟଙ୍କା ଲୋଭରେ ରାଜନୀତିକୁ ଆସି ନଥିଲି।

ସମ୍ବନ୍ଧିତ ଖବର