ଟ୍ରେନ୍‌ରୁ ପଡ଼ି ପୂର୍ବତନ ବିଧାୟକଙ୍କ ପରଲୋକ

ଅନୁଗୁଳ : ଟ୍ରେନ୍‌ରୁ ପଡ଼ି ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନ(୮୪)ଙ୍କର ପରଲୋକ ହୋଇଛି। ଗତକାଲି ସେ ଅନୁଗୁଳରୁ ଭୁବନେଶ୍ବର ଆଡ଼କୁ ଏକ ଟ୍ରେନ୍‌ରେ ଯାଉଥିଲାବେଳେ ବଅଁରପାଳ ବ୍ଲକ୍ କଇଁଫୁଲିଆ ସାହି ନିକଟରେ ତଳକୁ ଖସି ପଡ଼ିଥିଲେ। ଫଳରେ, ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଆଜି ସକାଳେ ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସବୁଆଡ଼େ ଶୋକର ଛାୟା ଖେଳିଯାଇଛି।

୧୯୩୪ ମସିହାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ କନ୍ତପଡ଼ାରେ ଜନ୍ମିତ ରାଜକିଶୋର ପରିବର୍ତ୍ତୀ ସମୟରେ ନିକଟସ୍ଥ ପାଇକସାହିରେ ସପରିବାର ରହୁଥିଲେ। ଗତ ଅକ୍ଟୋବର ୭ ତାରିଖରେ ଧର୍ମପତ୍ନୀ ସୁକାନ୍ତିଙ୍କୁ ହରାଇବା ପରେ ସେ ଅନୁଗୁଳ ପ୍ରଗତି ନଗରରେ ବଡ଼ ପୁଅ ଅଧ୍ୟାପକ ଦିଲୀପ ପ୍ରଧାନଙ୍କ ସହିତ ରହୁଥିଲେ। ଗତକାଲି ଅପରାହ୍ଣରେ ଅଚାନକ ସେ ଘରୁ ଅନୁଗୁଳ ରେଳଷ୍ଟେସନକୁ ପଳ‌ାଇ ଆସିି‌ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ରେ ଚଢ଼ିଥିଲେ। ଏହାର କିଛି ସମୟ ପରେ ବଳରାମ ପ୍ରସାଦ କଇଁଫୁଲିଆ ସାହି ନିକଟରେ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଫଳରେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ନାଲ୍‌କୋ ପୁଲିସ୍‌ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ପରିଚୟ ଜଣା ନପଡ଼ିବାରୁ ପୁଲିସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସ˚ରକ୍ଷଣ ଗୃହରେ ତାଙ୍କ ମୃତଦେହକୁ ନେଇ ରଖିଥି‌ଲା। ଅଚନାକ ପଳାଇ ଆସିଥିବାରୁ ପରିବାର ଲୋକ ରାତିସାରା ଖୋଜାଖୋଜି କରିଥିଲେ। ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ ଶବ ସ˚ରକ୍ଷଣ ଗୃହରେ ପହଂଚି ମୃତଦେହ ଚିହ୍ନଟ କରିଥିଲେ।

ଆଜି ଅପରାହଣରେ ତାଙ୍କ ମରଶରୀରକୁ ପାଇକସାହି ବାସଭବନକୁ ନିଆଯାଇଥିଲା। ଏହାପରେ ଗ୍ରାମବାସୀମାନେ ତାଙ୍କ ମରଦେହକୁ ଏକ ଶୋଭାଯାତ୍ରାରେ ପାଇକସାହି ଗାଁ ପରିକ୍ରମା କରାଇବା ପରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନପୁଅ ‘ସମ୍ବାଦ’ର ବାଲେଶ୍ବର ଜିଲ୍ଲା ପ୍ରତିନିଧି ଅନୀଲ ପ୍ରଧାନ ମୁଖାଗ୍ନି ଦେଇଥିଲେ।

ପ୍ରକାଶଥାଉକି, ପାଇକସାହିର ସରପଞ୍ଚ ପଦରୁ ରାଜକିଶୋର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୧ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଉତ୍କଳ କଂଗ୍ରେସ ଟିକେଟରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ତତ୍କାଳୀନ ଉପ ମୁଖ୍ୟମନ୍ତ୍ରୀ ପବିତ୍ରମୋହନ ପ୍ରଧାନଙ୍କୁ ପରାଜିତ କରିଥିଲେ। ରାଜକିଶୋରଙ୍କ ବିୟୋଗରେ ଆଠମଲ୍ଲିକ ତଥା ଅନୁଗୁଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର