ପୁରୀ : ଗତ ୨୪ ତାରିଖ ଓଡ଼ିଶା ବନ୍ଦ ପାଳନ ସମୟରେ ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ଜେଲ୍‌ ଯାଇଛନ୍ତି। ଗତକାଲି ଗଣ୍ଡଗୋଳ ଘଟଣା ପରେ ସେମାନେ ଫେରାର ଥିଲେ। ତେବେ ପୁଲିସ ଚଢ଼ଉ କରି ରାଜପଥ କଡ଼ରେ ଥିବା ଖଟିରୁ ଉଭୟଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପିପିଲି ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବା ପରେ ବାପପୁଅଙ୍କୁ ନିମାପଡ଼ା ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି।

Advertisment

publive-imageଗତକାଲି ବନ୍ଦ ପାଳନ ବେଳେ ପିପିଲିରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଯୁଧିଷ୍ଠିରଙ୍କ ମାଡ଼ରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ପିପିଲିରେ ରାଜନୀତି ଜୋର ଧରିଛି। ଯୁଧିଷ୍ଠିରଙ୍କ ଅନୁଗାମୀଙ୍କ ମଧ୍ୟରେ ଆଶ୍ରିତଙ୍କ ପ୍ରତି ପ୍ରବଳ ଆକ୍ରୋଶ ଥିବାରୁ ଆଗକୁ ଏଠାରେ ରାଜନୈତିକ ସଂଘର୍ଷର ମଧ୍ୟ ଆଶଂକା ରହିଥିବା ଚର୍ଚା ହେଉଛି।

ସୂଚନାଯୋଗ୍ୟ, ଅତୀତରେ ପିପିଲି-ଡେଲାଙ୍ଗ ଅଞ୍ଚଳର ବିଜେଡି ନେତା ସୁଶାନ୍ତ ହତ୍ୟା ମାମଲାରେ ଯୁଧିଷ୍ଠିର ଜେଲ ଯାଇଥିଲେ। ୧୩ ମାସ ଜେଲରେ ରହିବା ପରେ ସେ ସର୍ତ୍ତମୂଳକ ଜାମିନ୍‌ ପାଇଥିଲେ। ଏଭଳି ହତ୍ୟା ଉଦ୍ୟମ ବା ହିଂସା ନକରିବା ପାଇଁ ସର୍ତ୍ତ ରଖି ଜାମିନ ପାଇଥିଲେ। ଗତକାଲିର ଆକ୍ରମଣ ଘଟଣା ତାଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ୩ ମାସ ତଳେ ଜଣେ କଂଗ୍ରେସ ନେତା କୃତିବାସ ମହାପାତ୍ରଙ୍କୁ ଅପହରଣ ମାମଲା ମଧ୍ୟ ଯୁଧିଷ୍ଠିରଙ୍କ ନାମରେ ରହିଛି। ଏହାଛଡ଼ା ବାପ-ପୁଅଙ୍କ ନାମରେ ୧୫ରୁ ଅଧିକ ମାମଲା ରହିଛି। ପୁଅ ପ୍ରିୟବ୍ରତ ବିଗତ ଦିନରେ ସମିତିସଭ୍ୟ ରହିଥିବା ବେଳେ ଏବେ ପିପିଲି-ଡେଲାଙ୍ଗ ଯୁବ କଂଗ୍ରେସ ସଭାପତି ରହିଛନ୍ତି। ନିକଟ ଅତୀତରେ ସେ ମଧ୍ୟ ଗିରଫ ହୋଇ ଜେଲ୍‌ ଯାଇଥିଲେ।