ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ବିରିଡି : ତିର୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇ (୫୫)ଙ୍କର ଗତକାଲି ବିଳମ୍ବିତ ରାତିରେ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଆଜି ସକାଳେ ତାଙ୍କର ମରଶରୀରକୁ କଟକରୁ ଏକ ଆମ୍ବୁଲାନ୍ସ ଯୋଗେ ପୈତୃକ ଗ୍ରାମ ଗୋପୀନାଥପୁର ପଂଚାୟତ ବାଲିଆକୁ ଅଣାଯାଇଥିଲା। ବାଟରେ ଦଳମତ ନିର୍ବିଶେଷରେ ବହୁ ନେତା କଇଜଙ୍ଗା, ବଗୁଲା, ହାଜିପୁର, ବିରିଡି ବିଜୁ ଭବନ, ବିରିଡି, ବାଲିଆ, ବାଲିଆଷ୍ଟୋର ପ୍ରଭୃତି ସ୍ଥାନରେ ତାଙ୍କର ମରଶରୀରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ପୈତୃକ ଗ୍ରାମ ଶ୍ମଶାନରେ ଅନ୍ତମ ସଂସ୍କାର କରାଯାଇଥିଲା। ପୁତୁରା ସମେରେନ୍ଦ୍ର ଭୋଇ ମୁଖାଗ୍ନି ଦେଇଥିଲେ। ମ୍ରିୟମାଣ ଏକ ମାତ୍ର କନ୍ୟା ଜୁଇକୁ ଅନାଇ ଆଖିରୁ ଲୁହ ଗଡାଉଥିଲେ।

ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ତଥା ବିଜେଡି ନେତା ବିଜୟ ଶଙ୍କର ଦାସ, ରଘୁନାଥପୁର ଜିଲ୍ଲା ପରିଷଦ ସଭ୍ୟା ଡେଜାଲିନ ମହାପାତ୍ର, ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ, ତିର୍ତୋଲର ପୂର୍ବତନ ବ୍ଲକ ସଭାପତି ବସନ୍ତ ମହାପାତ୍ର, ଯୁବନେତା ବିମଳ ମହାପାତ୍ର ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ। ୩ ବର୍ଷ ତଳେ ସ୍ବର୍ଗତ ବିଧାୟକ ଶ୍ରୀ ଭୋଇଙ୍କ ପତ୍ନୀଙ୍କର ବିୟୋଗ ଘଟିଥିଲା।

ତିର୍ତୋଲ ନିର୍ବାଚନ ମଣ୍ତଳୀ ପୁନର୍ଗଠନ ପରେ ୨୦୧୯ ମସିହାରେ ପ୍ରଥମ କରି ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ସ୍ବର୍ଗତ ଭୋଇ ପ୍ରାର୍ଥୀ ହେବା ସହ ଏଠାରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଜଣେ ଜିଲ୍ଲା ପରିଷଦ ସଭ୍ୟ ଭାବେ ୧୯୯୮ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତା ପରେ ବିଜୁ ଜନତା ଦଳରେ ରାଜ୍ୟ କାର୍ଯ୍ୟକାରୀଣୀ ସଭ୍ୟ ଭାବେ ଜଗତସିଂହପୁର ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରି ପାରିଥିଲେ। ରାଜନୈତିକ ଗୁରୁ ବିଷ୍ଣୁ ବାବୁଙ୍କ ଦେହାନ୍ତର ୨ ମାସ ନପୂରଣୁ ରବି ଆଖି ବୁଜିଲେ। ୧୦ ଦିନ ପୂର୍ବେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେଭର୍ତ୍ତି କରାଯାଇଥିଲା। ମାତ କିଛି ଦିନ ବ୍ୟବଧାନରେ ତିର୍ତୋଲର ଦୁଇ ବିଜେଡି ନେତାଙ୍କ ବିୟୋଗ ଦଳୀୟ କର୍ମୀମାନଙ୍କ ମନରେ ନୈରାଶ୍ୟ ସୃଷ୍ଟି କରିଛି। ଏପରିକି ବିଷ୍ଣୁଙ୍କ ଅନ୍ତେ ସେ ଏହି ନିର୍ବାଚନମଣ୍ଡଳୀର ମଭ୍ଗ ଧରିବାକୁ ସମସ୍ତ ପ୍ରସ୍ତୁତି ଚଳାଇଥିଲେ। ଆଜିର ଘଟଣା ପରେ ସମଗ୍ର ତିର୍ତୋଲ ନିବାର୍ଚନ ମଣ୍ତଳୀର ବିଜୁ ଜନତା ଦଳର ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର