ଭିନ୍ନ ଜାତିରେ ଝିଅ ବିବାହ : ଭତରା ସମାଜରୁ ସଦନ ବାସନ୍ଦ

ପ୍ରଦୀପ, ଭୁଜବଳ, ଚନ୍ଦ୍ରଶେଖର ବି ସାମୟିକ ବାସନ୍ଦ

ନବରଙ୍ଗପୁର : ଝିଅକୁ ଅନ୍ୟ ଜାତିରେ ବିବାହ କରିବାରୁ ନିଜ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସଦନ ନାୟକ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କୁ ସମାଜରୁ ସାମୟିକ ଭାବେ ବାସନ୍ଦ କରାଯାଇଛି। ଆଜି ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ବୈଠକରେ ଏ ନେଇ କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ବିଧାୟକ ଶ୍ରୀ ନିଜ ଝିଅଙ୍କୁ ଭିନ୍ନ ଜାତିରେ ବିବାହ କରାଇଛନ୍ତି। ଏହି ବିବାହକୁ ସେ ପୂରାପୂରି ଗୋପନ ରଖିଥିଲେ। ଭୁବନେଶ୍ବରର କୌଣସି ହୋ‌େଟଲ୍‌ରେ ବିବାହର ଆୟୋଜନ କରିଥିଲେ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଏହି ବିବାହଭୋଜିରେ ଯୋଗଦେଇଥିଲେ।

ଏହା ଜାଣିବା ପରେ ଆଜି ନବରଙ୍ଗପୁର ସ୍ଥିତ ଭତରା ଭବନଠାରେ ପରିଷଦର ବୈଠକ ବସିଥିଲା। ଭତରା ସମାଜର କେନ୍ଦ୍ରୀୟ ସଭାପତି ଜଗଦୀଶ ନାୟକ, ଉପସଭାପତି, ଜିଲ୍ଲା ସଭାପତି ଅର୍ଜୁନ ଭତରା, ଜିଲ୍ଲା ସମ୍ପାଦକ ଜୟରାମ ଭତ୍ରା ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋହନ ନାୟକ, ଦିବାକର ପୂଜାରୀ, ମଦନ ମୋହନ ମାଝୀ, ମଙ୍ଗରାଜ ରନ୍ଧାରୀ, ନୀଳକଣ୍ଠ ଚାଲାଣ ପ୍ରମୁଖଙ୍କ ସହ ବସ୍ତର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଭତରା ସମାଜର ବହୁ ସଂଖ୍ୟାରେ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ସଦନଙ୍କୁ ଭତରା ସମାଜରୁ ବାସନ୍ଦ ଏବଂ ପ୍ରଦୀପ, ଭୁଜବଳ ଓ ଚନ୍ଦ୍ରଶେଖରଙ୍କୁ ସାମୟିକ ବାସନ୍ଦ କରାଯାଇଛି।

ଅନ୍ୟପକ୍ଷରେ, ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ବୋଲି ପ୍ରତିକ୍ରିୟାରେ ସଦନ କହିଛନ୍ତି।

ସମ୍ବନ୍ଧିତ ଖବର