ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ କୁମାର ଦାସଙ୍କ ପରଲୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ କୁମାର ଦାସଙ୍କ ୮୦ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟା ୫ଘ. ସମୟରେ ଅସୁସ୍ଥ ହୋଇ ଗୁରୁତର ହେବା ପରେ ତାଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହକୁ ଭବାନୀପାଟଣା ସହରର ବାହାଦୂରବଗିଚାପଡ଼ା ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନମନ୍ତ୍ରୀ ରାସବିହାରି ବେହେରା, ପୂର୍ବ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାଏକ, ପୂର୍ବ ବିଧାୟକ କୁମରମଣି ଶବର, ପୂର୍ବ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୟଦେବ ନାଏକ, ଭବାନୀପାଟଣା ସଦର ବ୍ଲକ ଉପାଧ୍ୟକ୍ଷ ସଚିଦାନନ୍ଦ ମହାକୁଡ଼, ନଗର ବିଜେଡି ସଭାପତି ଧବଳେଶ୍ବର ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର,ସାବନ ଅଲ୍ଲୀ ଖାଁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ସ୍ବର୍ଗତ ବସନ୍ତ କୁମାର ଦାସ ୧୯୪୦ ମସିହା ମେ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ନୌବାହିନୀରେ ସେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେଠାରୁ ଅବସର ନେବା ପରେ ସେ ଜୟପ୍ରକାଶ ନାରାୟଣଙ୍କ ସୋସିଆଲିଷ୍ଟ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ବହୁବାର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ ଭବାନୀପାଟଣା ମ୍ୟୁନିସିପାଲଟିର ଅଧ୍ୟକ୍ଷ ଭାବରେ ଦାୟିତ୍ବ ତୁଲାଇଥିଲେ। ସେ ୧୯୯୦ ମସିହା ଏପ୍ରିଲ ୩ ତାରିଖ ରୁ ୧୯୯୬ ମସିହା ଏପ୍ରିଲ୨ ତାରିଖ ପର୍ଯ୍ୟନ୍ତ ଜନତା ଦଳରୁ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର