ରାଷ୍ଟ୍ରପତିଙ୍କ ଆତିଥ୍ୟ ଗ୍ରହଣ କଲେ ପୂର୍ବତନ ସାଂସଦ ବୀରଭଦ୍ର

ମୟୂରଭଞ୍ଜଙ୍କୁ ଆସିବାକୁ କଲେ ନିମନ୍ତ୍ରଣ, ଡିହିରାକୂଳର ପ୍ରସିଦ୍ଧ ମଠା ଦେଲେ ଉପହାର

ବେତନଟୀ : ନିଜର ପୁରୁଣା ବନ୍ଧୁ ତଥା ଭାରତର ମହାମହିମ ରାଷ୍ଟ୍ରପତି ଡ.ରାମନାଥ କୋବିନ୍ଦଙ୍କ ଆତିଥ୍ୟତା ଗ୍ରହଣ କରିଛନ୍ତି ମୟୂରଭଞ୍ଜର ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ। ନୂଆଦିଲ୍ଲୀରେ ସପରିବାର ରାଷ୍ଟ୍ରପତିଙ୍କୁ ଭେଟିବା ଅବସରରେ ଶ୍ରୀ ସିଂ ମୟୂରଭଞ୍ଜ ସ୍ବତନ୍ତ୍ର ରାଜ୍ୟର ମିଶ୍ରଣ ଚୁକ୍ତି, ବିଶ୍ବପ୍ରସିଦ୍ଧ ଛଉନୃତ୍ୟ, ଶିମିଳିପାଳ ଅଭୟାରଣ୍ୟ, ବିଚ୍ଛିନ୍ନାଞ୍ଚଳରେ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଛଉନୃତ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୃଷ୍ଠପୋଷକତା ଯୋଗାଇ ଦେବାକୁ ସେ ଅନୁରୋଧ କରିବା ସହ ଝୁମର ଲୋକନୃତ୍ୟ ଓ ଗୀତର ପ୍ରସାର ହେଲେ ଗ୍ରାମୀଣ ଆମୋଦପ୍ରମୋଦକୁ ପୃଷ୍ଠପୋଷକତା ମିଳିପାରନ୍ତା ବୋଲି କହିଥିଲେ। ଏହାଛଡ଼ା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବିଶ୍ବପ୍ରସିଦ୍ଧ ଜଗନ୍ନାଥ ସଂସ୍କୃତି ବାବଦରେ ବୀରଭଦ୍ର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କୁ ବୀରଭଦ୍ର ମୟୂରଭଞ୍ଜକୁ ଆସିବା ପାଇଁ ନିମନ୍ତ୍ରଣ କରିବା ସହ ଡିହିରାକୂଳର ପ୍ରସିଦ୍ଧ ମଠା ଉପହାର ଦେଇଥିଲେ। ବୀରଭଦ୍ରଙ୍କ ସହ ତାଙ୍କ ପତ୍ନୀ ମାଳତୀ, ପୁଅ ଏସ୍‌ କ୍ରିଷ୍ଣଗୋପାଲ, ପୁତ୍ରବଧୂ ଅଞ୍ଜଳି, କନ୍ୟା ଇଂ.ଏସ୍‌.ଇପ୍‌ସିତା, ଏସ୍‌.ନିବେଦିତା, ଜ୍ବାଇଁ ପୃଥ୍ବୀରାଜ ଘଡ଼େଇ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ବାଣୀବିହାର ଉତ୍କଳ ବିଶ୍ବବିଦ୍ୟାଳୟର ଆଲୁମନି ଉତ୍ସବରେ ଯୋଗ ଦେବାକୁ ରାଷ୍ଟ୍ରପତି ଆସିଥିଲେ । ଭିଡ଼ ସତ୍ତ୍ବେ ତାଙ୍କ ସ୍ବତନ୍ତ୍ର ପଗଡ଼ିରୁ ପୁରୁଣା ବନ୍ଧୁ ବୀରଭଦ୍ରଙ୍କୁ ଚିହ୍ନିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ବୀରଭଦ୍ରଙ୍କୁ ଡକାଇ ଭଲମନ୍ଦ ଆଲୋଚନା କରିଥିଲେ ଏବଂ ରାଷ୍ଟ୍ରପତି ଭବନକୁ ଆସିବା ଲାଗି ନିମନ୍ତ୍ରଣ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ଫେବ୍ରୁଆରି ୪ ତାରିଖରେ ବୀରଭଦ୍ର ସପରିବାର ନୂଆଦିଲ୍ଲୀ ଗସ୍ତ କରି ଗତକାଲି ସନ୍ଧ୍ୟାରେ ଓଡ଼ିଶା ଫେରିଥିଲେ।

ସମ୍ବନ୍ଧିତ ଖବର