କ‌ରୋନାରେ ଆଖି ବୁଜିଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ

ସାମ୍ବାଦିକରୁ ସାଂସଦ

ଫୁଲବାଣୀ : କନ୍ଧମାଳ(ପୂର୍ବରୁ ଫୁଲବାଣୀ ଲୋକସଭା ଆସନ)ର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ସଂକ୍ରମିତ ହେବା ପରେ ଭୁବନେଶ୍ବରର କିମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଶାଳକ ଫିଲମନ୍ ନାୟକ ସୂଚନା ଦେଇଛନ୍ତି। ୨୦୦୪ ମସିହାରେ ସେ ବିଜେଡିରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସମାଜସେବୀ ମହଲରେ ‌ଶୋକର ଛାୟା ଖେଳିଯାଇଛି।

ଦାରିଙ୍ଗବାଡ଼ି ବ୍ଲକ୍ ଦାସିଙ୍ଗବାଡ଼ିରେ ୧୯୬୩ ମସିହା ଅଗଷ୍ଟ ୧ ତାରିଖରେ ଜନ୍ମିତ ସୁଗ୍ରୀବ ୧୯୮୦ ମସିହାରେ ରାଇକିଆସ୍ଥିତ ବିଜୟ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍ କରିଥିଲେ। ୧୯୮୫ରେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତେବେ କଲେଜରେ ପାଠପଢ଼ା ସମୟରେ ହିଁ ସେ ନିଜକୁ ସମାଜସେବାରେ ସାମିଲ କରି ବିଭିନ୍ନ ମହଲରେ ଲୋକପ୍ରିୟ ହୋଇଥିଲେ। ପରେ ସେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ରାଜ‌ନୀତିରେ ପାଦ ଦେଇଥିଲେ। ୨୦୦୩ରେ ଫୁଲବାଣୀ ପୌରପାଳିକାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ହିଁ ୨୦୦୪ ମସିହାରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇ ୨୦୦୯ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ବର୍ତ୍ତମାନ ସେ ଭୁବନେଶ୍ବରର ଆର୍ଯ୍ୟପଲ୍ଲୀସ୍ଥିତ ବାସଭବନରେ ରହୁଥିଲେ।

ତାଙ୍କ ବିୟୋଗ ଖବର ପ୍ରଚାର ହେବା କ୍ଷଣି ପୈତୃକ ଗ୍ରାମରେ ଦାସିଙ୍ଗବାଡ଼ି‌ରେ ଶୋକର ଛାୟା ଖେଳିଯାଇଛି। ଏହି ଅଞ୍ଚଳରେ ସେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ବହୁ ରାଜନେତା ତାଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି। କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର