ଆତ୍ମସମର୍ପଣର ୮ ବର୍ଷ ପରେ ବି ମିଳି ନଥିଲା ସରକାରୀ ସହାୟତା, ସାପ କାମୁଡ଼ାରେ ମୃତ୍ୟୁ

ରାଉରକେଲା: ଗତ ୮ ବର୍ଷ ତଳେ ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ଦୁର୍ଦ୍ଦାନ୍ତ ନକ୍ସଲଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି। ମୃ୍ତ ନକ୍ସଲ ହେଲେ ସରଣ୍ଡା ଥାନା ଅନ୍ତର୍ଗତ ଥାଲକୋବାଦ୍‌ର ବିଜୟ ହୋନ୍‌ହାଗା। ଗତକାଲି ରାତିରେ ବିଜୟ ଘରେ ଶୋଇଥିଲା ବେଳେ ଏକ ଚିତି ସାପ କାମୁଡି ଦେଇଥିଲା। ପରିବାର ଲୋକ ବିଜୟଙ୍କୁ ଚିକିତ୍ସା ପାଇଁ ସରଣ୍ଡା ନିକଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃ୍ତ ଘୋଷଣା କରିଥିଲେ।

ଉଲ୍ଲେଖନୀୟ ଯେ ବିଜୟ ସରଣ୍ଡା ଜଙ୍ଗଲ ଛୋଟା ନାଗପୁର ଜୋନ୍‌ର ବରିଷ୍ଠ ସଦସ୍ୟ ସହ କ୍ରାନ୍ତିକାରୀ କିସାନ କମିଟିର ବରିଷ୍ଠ କମାଣ୍ଡର ମଧ୍ୟ ଥିଲେ। ବିଜୟ ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ମନୋହରପୁର ସହିତ ସୁନ୍ଦରଗଡ ଜିଲ୍ଲାର ବିଶ୍ରା, ଚାନ୍ଦିପୋଷ ଥାନା ଅଞ୍ଚଳରେ ଅନେକ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ। ବିଶ୍ରା ଓ ଚାନ୍ଦିପୋଷ ଥାନାରେ ବିଜୟଙ୍କ ନାଁରେ ଏକାଧିକ ମାମଲା ରହିଥିଲା। ୮ ବର୍ଷ ‌ତଳେ ଅର୍ଥାତ୍‌ ୨୦୧୨ରେ ଡିସେମ୍ବର ୪ରେ ନିଜର ସହଯୋଗୀ ଜାଦୁରାଇ ସୋଏଙ୍କ ସହ ସେ ତତ୍କାଳୀନ ଏସ୍‌ପି ହିମାଂଶୁ ଲାଲ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଆତ୍ମସମର୍ପଣ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆତ୍ମସର୍ମଣ ନୀତି ଅନୁଯାୟୀ ମିଳିବାକୁଥିବା ସହାୟତା ତାଙ୍କୁ ମିଳି ନଥିଲା। ଏଥିପାଇଁ ବିଜୟ ଅନେକଥର ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତେବେ କିଛି ସୁଫଳ ମିଳି ନଥିଲା। ଆତ୍ମସମର୍ପଣ ପରେ ବିଜୟ ସାଧାରଣ ଜୀବନଯାପନ କରୁଥିଲେ। ସରକାରଙ୍କ ସହାୟତାକୁ ଚାହିଁ ଚାହିଁ ଶେଷରେ ଆଖିବୁଜିଲେ।

ସମ୍ବନ୍ଧିତ ଖବର