ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଲହୁଣିପଡ଼ା ବ୍ଲକ୍ ଗୋପନାର ପୂର୍ବତନ ରାଜସ୍ବ ନିରୀକ୍ଷକ ଲିଙ୍ଗରାଜ ସାହୁ (୭୩)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୧ ବର୍ଷ ଜେଲଦଣ୍ଡ ସହ ହଜାରେ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାବାୟରେ ୨ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ଲାଞ୍ଚୁଆ ଅଧିକାରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଇନ୍ଦିପୁରରେ। ସେ ଅବସର ନେଇ ସାରିଛନ୍ତି।

Advertisment

ମାମଲାର ବିବରଣୀ ଅନୁସାରେ, ୨୦୧୦ରେ ତତ୍କାଳୀନ ଗୋପନା ରାଜସ୍ବ ନିରୀକ୍ଷକ ଲିଙ୍ଗରାଜ ସାହୁ କେ. ବଲାଙ୍ଗ ଥାନା ହାତୀକୁଚା ଗାଁର ଦୀପକ ମହାନ୍ତଙ୍କ ବେଆଇନ ନାଲି ଇଟାଭାଟି ପାଇଁ ଲାଞ୍ଚ ମାଗିଥିଲେ। ଦୀପକ ନିଜ ଘର ପାଇଁ ଇଟା ତିଆରି କରିଥିବାରୁ ବଣାଇ ତହସିଲଦାରଙ୍କୁ ସେ ସମ୍ପର୍କିତ ରିପୋର୍ଟ ଦେବାର ଥିଲା। ଲାଞ୍ଚ ନଦେଲେ ଠିକ୍ ରିପୋର୍ଟ ଦେବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। କଥା ହଜାରେ ଟଙ୍କାରେ ଛିଣ୍ଡିଥିଲା। ଏହା ପରେ ଦୀପକ ରାଉରକେଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ରାଜସ୍ବ ନିରୀକ୍ଷକଙ୍କୁ ଧରିବାକୁ ଜାଲ ବିଛାଇଥିଲା।

୨୦୧୦ ଜାନୁଆରି ୧୦ରେ ଦୀପକ ରାସାୟନିକ ପ୍ରଲେପ ଦିଆ ହଜାରେ ଟଙ୍କା ରାଜସ୍ବ ନିରୀକ୍ଷକଙ୍କୁ ଦେବା ପରେ ସେଠାରେ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ତାଙ୍କଠାରୁ ରଙ୍ଗ ବୋଳା ଟଙ୍କା ଜବତ କରିଥିଲା ଟିମ୍। ମାମଲାର ବିଚାର ଚାଲିଥିବାବେଳେ ଭିଜିଲାନ୍ସର ଚୂଡ଼ାନ୍ତ ତଦନ୍ତ ରିପୋର୍ଟକୁ ଭିତ୍ତି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଶୁଣାଣି କରିଥିଲେ। ରାଉରକେଲାର ତତ୍କାଳୀନ ଭିଜିଲାନ୍ସ ନିରୀକ୍ଷକ ହରେକୃଷ୍ଣ ମାଝୀ ତଦନ୍ତ କରିଥିବାବେଳେ ଭିଜିଲାନ୍ସ ପିପି ଶ୍ଯାମସୁନ୍ଦର ମିଶ୍ର ମାମଲାର ପରିଚାଳନା କରିଥିଲେ।