ସୁନ୍ଦରଗଡ଼: ଏକ ଜବତ ବାଲି ବୋଝେଇ ଟ୍ରକକୁ ଛାଡ଼ିଦେବାକୁ ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବୀରମିତ୍ରପୁର ତହସିଲର ଅବସରପ୍ରାପ୍ତ ପରିଦର୍ଶକ ପର୍ଶୁରାମ ପାନ ଓ ଜଣେ ବେସରକାରୀ ବ୍ୟକ୍ତି ରମେଶଚନ୍ଦ୍ର ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶ୍ରୀ ପାନଙ୍କୁ ୨ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ହୋଇଥିବା ବେଳେ ଶ୍ରୀ ମଲ୍ଲିକଙ୍କୁ ୧ ବର୍ଷ ଜେଲ୍ ଓ ୧ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ।
ମାମଲା ଅନୁସାରେ, ଗତ ୨୦୧୨ରେ ବୀରମିତ୍ରପୁର ତହସିଲ ଅଞ୍ଚଳର ରମେଶଚନ୍ଦ୍ର ଅମାତଙ୍କ ଏକ ବାଲି ବୋଝେଇ ଟ୍ରକକୁ ସମ୍ପୃକ୍ତ ରାଜସ୍ବ ପରିଦର୍ଶକ ଶ୍ରୀ ପାନ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ତାକୁ ଛାଡ଼ିବାକୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ କଥା ୩ ହଜାର ଟଙ୍କା ତୁଟିଥିଲା। ଏଥିପାଇଁ ଜଣେ ବେସରକାରୀ ବ୍ୟକ୍ତି ରାମେଶଚନ୍ଦ୍ର ମଲ୍ଲିକ ମଧ୍ୟସ୍ଥତା କରିଥିଲେ। ଏହା ପରେ ଶ୍ରୀ ଅମାତ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ପାନ ଓ ଶ୍ରୀ ମଲ୍ଲିକଙ୍କୁ ଧରିବାକୁ ଜାଲ୍ ବିଛାବଇଥିଲେ। ଯୋଜନା ମୁତାବକ ଅଭିଯୋଗକାରୀ ଶ୍ରୀ ଅମାତ ରାସାୟନିକ ରଙ୍ଗବୋଳା ୩ ହଜାର ଟଙ୍କା ଶ୍ରୀ ମଲ୍ଲିକ ଓ ପରିଦର୍ଶକ ପର୍ଶୁରାମ ପାନଙ୍କୁ ଦେଇଥିଲେ। ଠିକ୍ ଏହି ସମୟରେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ୨ ଜଣଙ୍କୁ ମାଡ଼ି ବସିଥିଲା। ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ମାମଲାର ବିଚାର ଚାଲିଥିବା ବେଳେ ଜୁଲାଇ ୨୯ ତାରିଖରେ ଭିଜିଲାନ୍ସ କୋର୍ଟ ଶୁଣାଣି କରି ଦୁଇ ଲାଞ୍ଚୁଆଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ପରେ ଓଡ଼ିଶା ଭିଜିଲାନ୍ସ ଶ୍ରୀ ପାନଙ୍କୁ ପେନସନ୍ ବନ୍ଦ କରିବାକୁ ରାଜସ୍ବ ବିଭାଗକୁ ଚିଠି ଲେଖିବ ବୋଲି ସୂଚନା ମିଳିଛି। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ପରିଚାଳନା କରିଥିଲେ।