ଭୁବନ/କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ବର ରାଉତ (୫୦)ଙ୍କୁ ରବିବାର ରାତିରେ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ରବିବାର ରାତି ପ୍ରାୟ ୧୦ଟା ବେଳେ ପୂର୍ବତନ ସମିତି ସର୍ବେଶ୍ବର ରାଉତ ତାଙ୍କ କାଜୁ ଫାର୍ମରୁ ଘରକୁ ଫେରୁଥିଲେ। ଦାମନାଳିଆ ପୋଲ ନିକଟରେ ବାଟରେ ଜଗି ରହିଥିବା ୮ରୁ ୧୦ ଜଣ ଦୁର୍ବୃତ୍ତ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ସର୍ବେଶ୍ବରଙ୍କ ପୁଅ ସୁଜିତ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ବାପାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାମାକ୍ଷାନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତାଙ୍କ ହତ୍ୟା ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।
ଢେଙ୍କାନାଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର, କାମାକ୍ଷାନଗର ଏସ୍ଡିପିଓ ରଞ୍ଜନ ଦେ, ଥାନା ଅଧିକାରୀ ଶରତ ମହାକୁଡ଼ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ମୃତକଙ୍କ ପୁଅ ସୁଜିତ ରାଜନୈତିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମ ସଭାପତିଙ୍କ ସହ ୧୦ରୁ ଅଧିକ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଏତଲାରେ ଦର୍ଶାଯାଇଛି। ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଶବ ଗାଁରେ ପହଞ୍ଚିଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି।