ଚା’ ବିକୁଛନ୍ତି ପୂର୍ବତନ ସରପଞ୍ଚ

ଧର୍ମଶାଳା: ଧର୍ମଶାଳା ବ୍ଲକ ଅଭୟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନ ବର୍ତ୍ତମାନ ପରିବାର ପ୍ରତିପୋଷଣ ପାଇଁ ଚା’ ବିକୁଛନ୍ତି। ପୂର୍ବରୁ ଚାଷ କରି ପରିବାର ଚଳାଉଥିଲେ। ବର୍ତ୍ତମାନ ସେ ଜାରକା ବଡ଼ବଜାର ଦୁର୍ଗାମଣ୍ତପ ନିକଟରେ ଛୋଟ ଦୋକାନଟିଏ କରିଛନ୍ତି। ୬୪ ବର୍ଷ ବୟସରେ ସେ ଚା’ ପ୍ରସ୍ତୁତ କରି ବେପାର କରୁଛନ୍ତି। ପ୍ରତିଦିନ ହାରାହାରି ୨୦୦ ଟଙ୍କା ରୋଜଗାର ହେଉଥିବା କହନ୍ତି।  ପତ୍ନୀ ସଜନୀଙ୍କ ଦୁଇ ଆଖି ନଷ୍ଟ ହୋଇ ଯାଇଥିବା ବେଳେ ଜଣେ ବିବାହିତ ଝିଅ ତାଙ୍କ ପାଖରେ ରହୁଛନ୍ତି। ରାସନ ସାମଗ୍ରୀ ବ୍ୟତୀତ ଏହି ପରିବାରକୁ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ। ଏପରିକି ତାଙ୍କୁ କିମ୍ବା ପତ୍ନୀ ଓ ଝିଅଙ୍କୁ ଭତ୍ତା ମିଳୁନାହିଁ। ଇନ୍ଦିରା ଆବାସ ନମିଳିବାରୁ ମୁଣ୍ତ ଗୁଞ୍ଜିବା ପାଇଁ ଧାରକରଜ କରି ଘରଖଣ୍ଡେ କରିଛନ୍ତି। ସ୍ବଳ୍ପ ରୋଜଗାରରେ ୩ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହେଉଥିବା ସେ କହିଛନ୍ତି। ଜଣେ ପୂର୍ବତନ ସରପଞ୍ଚ ଏଭଳି ଦୟନୀୟ ଅବସ୍ଥାରେ ଚଳୁଥିବା ଘଟଣା ଅନେକଙ୍କୁ ବିସ୍ମିତ କରିଛି।

ଅଭୟପୁର ଗ୍ରାମର ଅନନ୍ତ ପ୍ରଧାନ ୧୯୯୨ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସମାଜସେବା ତାଙ୍କ ପାଇଁ ନିଶା ପାଲଟି ଯାଇଥିଲା। ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ଦଳ ପାଇଁ କାମ କରିଥିବା ଶ୍ରୀ ପ୍ରଧାନ ଗତ ପଞ୍ଚାୟତ ନିର୍ବାଚନ ବେଳେ ଶାସକ ବିଜେଡ଼ି ଦଳରେ ଯୋଗ ଦେଇଥିଲେ। ସରପଞ୍ଚ ରୂପେ ସେ ପୂର୍ବରୁ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ବୁଝୁଥିଲେ। ତେବେ ବର୍ତ୍ତମାନ ଅନନ୍ତଙ୍କ ସମସ୍ୟା ବୁଝିବାକୁ କେହି ନାହାନ୍ତି। ବିବାହିତ ପୁଅ ଅଲଗା ରହୁଛନ୍ତି। ପରିଣତ ବୟସରେ ଚାଷ କରିବା ସମ୍ଭବ ନହେବାରୁ ଚା’ ଦୋକାନ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା କହନ୍ତି। ଏପଟେ ରୋଗଣା ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।

ସମ୍ବନ୍ଧିତ ଖବର