ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମରେ ହିଂସା: ପୂର୍ବତନ ସରପଞ୍ଚଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା

ହତ୍ୟା ମାମଲାରେ ଜାମିନ୍‌ରେ ଆସିଥି‌ଲେ, ପୂର୍ବଶତ୍ରୁତା ସନ୍ଦେହ, ପୁଲିସର ଛାନ୍‌ଭିନ୍‌

ବ୍ରହ୍ମପୁର/କୁକୁଡ଼ାଖଣ୍ଡି: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଘଟିଛି ବଡ଼ ହିଂସା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ହାଣି ହତ୍ୟା କରି ଚମ୍ପଟ ମାରିଛନ୍ତି। ବ୍ରହ୍ମପୁର ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି। ବଡ଼ବଜାର ଥାନା ପୁଲିସ ଏହି ଘଟଣାରେ ପ୍ରଦୀପଙ୍କ ପତ୍ନୀ ଗୀତାଞ୍ଜଳି ବିଷୋୟୀଙ୍କ ଅଭିଯୋଗ କ୍ରମେ କେସ୍ ନମ୍ବର ୨୨୭/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ସୂଚନା ଅନୁସାରେ ଅନନ୍ତେଇ ଗ୍ରାମର ପ୍ରଦୀପ ଏବେ ବ୍ରହ୍ମପୁର ଗେଟବଜାରରେ ରହୁଥିଲେ। ସେ ଅନନ୍ତେଇ ଗ୍ରାମ ପଞ୍ଚାୟତରୁ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ‌ହୋଇଥିଲେ। ସେ କୁକୁଡ଼ାଖଣ୍ଡି ବ୍ଲକର ପୂର୍ବତନ କଂଗ୍ରେସ ସଭାପତି ମଧ୍ୟ ଥିଲେ। ଆଜି ସକାଳେ ପ୍ରଦୀପ ତାଙ୍କର ସ୍କୁଟିରେ ଅନନ୍ତେଇ ଗ୍ରାମରେ ଥିବା ତାଙ୍କର ଫାର୍ମକୁ ଯାଉଥିଲେ। ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଖଣ୍ଡା, କାତିରେ ତାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ ମୁଣ୍ଡର ବିଭିନ୍ନ ସ୍ଥାନରେ ଚୋଟ ପଡ଼ିଛି। ପ୍ରଦୀପଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ସେଠାରେ ଚମ୍ପଟ ମାରିଥିଲେ। ରାସ୍ତାକଡ଼ରେ ରକ୍ତାକ୍ତ ଅବସ୍ଥାରେ ପ୍ରଦୀପଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅନୁସଂଧ୍ୟାନ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ପ୍ରଦୀପ ମହୁରୀ କାଳୁଆ ମନ୍ଦିର ଉନ୍ନୟନ କମିଟିର ସଭାପତି ମଧ୍ୟ ଥିଲେ। ପୂର୍ବରୁ ତାଙ୍କ ଉପରେ ୩ଟି ଥର ଆକ୍ରମଣ ହୋଇଥିଲା। ବନ୍ଥପଲ୍ଲୀରେ ହୋଇଥିବା ଏକ ହତ୍ୟା ମାମଲାରେ ସେ ଗିରଫ ହୋଇ ଜେଲ୍‌ ଯାଇଥିଲେ। କିଛିଦିନ ହେଲା ସେ ଜାମିନ୍‌ରେ ଆସିଥିବା ତାଙ୍କର ଓକିଲ କହିଛନ୍ତି।
ପୁଲିସ ଘଟଣାସ୍ଥଳରୁ ପ୍ରଦୀପଙ୍କ ସ୍କୁଟି ଜବତ କରିଛି। ସ୍କୁଟର ଚାବି ଡିକିରେ ଲାଗି ରହିଥିବା ଦେଖିବାକୁ ମିଳିଛି। ସ୍କୁଟି ନିକଟରେ ପଡ଼ିଥିବା କିଛି କାଗଜପତ୍ର ଜବତ କରିଛି ପୁଲିସ। ଦୁର୍ବୃତ୍ତମାନେ ପ୍ରଦୀପଙ୍କୁ ଅଟାକଇ ତାଙ୍କ ସହିତ କଥା ହୋଇଛନ୍ତି। ଏଣୁ ସେମାନେ ନିଶ୍ଚିତ ଭାବେ ପ୍ରଦୀପଙ୍କ ପରିଚିତ ଲୋକ ହୋଇଥିବେ ବୋଲି ପୁଲିସ ସନ୍ଦେହ କରୁଛି। ପରେ ପ୍ରଦୀପ ସ୍କୁଟି ଡିକି ଖୋଲି କିଛି କାଗଜପତ୍ର ବାହାର କରିବା ସମୟରେ ପଛପଟୁ ତାଙ୍କୁ ଖଣ୍ଡା, କାତିରେ ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି। ଜବତ ହୋଇଥିବା କାଗଜପତ୍ରକୁ ଯାଞ୍ଚ କରି ହତ୍ୟାକାରୀଙ୍କୁ ଖୋଜି ବାହାର କରିବାରେ ପୁଲିସ ଲାଗି ପଡ଼ିଛି।

ସମ୍ବନ୍ଧିତ ଖବର