ଦିନ ଥିଲା ଲୋକଙ୍କ ହାରି-ଗୁହାରି ଶୁଣୁଥିଲେ, ପୂର୍ବତନ ସରପଞ୍ଚ ଆଜି ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ୮ ଘଣ୍ଟା ଡ୍ୟୁଟି କଲେ ଦୁଇଓଳାର ଦାନା ଯୋଗାଡ଼ Latestଗଞ୍ଜାମଜିଲ୍ଲା By Sambad Digital Last updated Apr 18, 2022 ସେୟାର ଚିକିଟି: ଦିନ ଥିଲା ରାତି ପାହିବା ମାତ୍ରେ ଘର ଆଗରେ ଲୋକଙ୍କ ଭିଡ଼ ଜମିଯାଉଥିଲା। ସମସ୍ତଙ୍କ ହାରି-ଗୁହାରି ଶୁଣିବା ସହ ସେସବୁର ସମାଧାନ ପାଇଁ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ। ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ଅଞ୍ଚଳରେ ବିକାଶ ପାଇଁ ଦିନରାତି ଏକ କରିଦେଉଥିଲେ। ହେଲେ କ୍ଷମତା ଚାଲିଯିବା ପରେ ଯେମିତି ଭାଗ୍ୟରେ ଦୁର୍ଭାଗ୍ୟ ଘୋଟି ଆସିଲା। ଏବେ ପରିବାର ପ୍ରତିପୋଷଣ ଲାଗି ପେଟ୍ରୋଲ୍ ପମ୍ପ୍ରେ ପ୍ରତିଦିନ ୮ ଘଣ୍ଟିଆ ଡ୍ୟୁଟି କରିବାକୁ ପଡ଼ୁଛି। ଏମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଝାଟିପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ନାଇକ। ୨୦୧୨ ପଞ୍ଚାୟତ ନିର୍ବାଚନରେ ଗୋପାଳ ନିର୍ବାଚନ ଲଢ଼ି ଜିତିବା ପରେ ସରପଞ୍ଚ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଥିଲେ। ୨୦୧୭ ପର୍ଯ୍ୟନ୍ତ ସୁରୁଖୁରୁରେ ଦାୟିତ୍ବ ନିର୍ବାହ କରିବା ସହ ପଞ୍ଚାୟତବାସୀଙ୍କ ସହ ଉତ୍ତମ ଜନସଂପର୍କ ସ୍ଥାପନ କରିଥିଲେ। କିନ୍ତୁ କ୍ଷମତା ଚାଲିଯିବା ପରେ ଗୋପାଳ ଏକ ପ୍ରକାର ଅସହାୟ ପାଲଟିଛନ୍ତି। ଫଳରେ ବର୍ତ୍ତମାନ ସେ ଗିରିସୋଲା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପେଟ୍ରୋଲ୍ ପମ୍ପ୍ରେ ସେଲସମ୍ୟାନ୍ ଭାବେ କାମ କରୁଛନ୍ତି। ପ୍ରତିଦିନ ୮ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ୁଥିବା ବେଳେ ମାସକୁ ୮ହଜାର ଟଙ୍କା ଦରମା ମିଳୁଛି। କିନ୍ତୁ ଏହି ମହରଗ ଯୁଗରେ ପତ୍ନୀ ଓ ଦୁଇ ଛୁଆଙ୍କୁ ଧରି ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଛି। ତଥାପି ଭାଙ୍ଗି ନପଡ଼ି ସଂଘର୍ଷ ଜାରି ରହିଛି ବୋଲି ଗୋପାଳ କହନ୍ତି। ସେପଟେ ବାପା ପୀତାମ୍ବର କିଛି ପେନସନ୍ ପାଉଥିବା ବେଳେ ସାନପୁଅ ପାଖରେ ରହୁଛନ୍ତି। ‘ଭଗବାନଙ୍କ ଦୟାରୁ ସବୁ କିଛି ପାଖରେ ଅଛି। ତଥାପି କୌଣସି କାମ ମୋ’ ପାଇଁ ଛୋଟ ନୁହେଁ, ବୋଲି ଗୋପାଳ ହସ ହସ ମୁହଁରେ କହିଛନ୍ତି।