ଅଣ୍ଡା ବିଲ୍‌ ପାଇଁ ୮ହଜାର ଲାଞ୍ଚ : ପୂର୍ବତନ ଏସ୍‌ଇଓଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକରେ ଅଣ୍ଡା ବିଲ୍‌ ପାଇଁ ଲାଞ୍ଚ ନେବା ମାମଲାର ରାୟ ଆଜି ପ୍ରକାଶ ପାଇଛି। ‌ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍ ସତ୍ୟପୀର ମିଶ୍ର ଦୋଷୀ ସାବ୍ୟସ୍ତ ପୂର୍ବତନ ସାମାଜିକ ଶିକ୍ଷା ସଂଯୋଜକ ନବକେଶି ଦେଶିନାୟକଙ୍କୁ ୪ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଏହି ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ପଦ୍ମଚରଣ ସାହୁ ନାମକ କ.ନୂଆଗାଁ ବ୍ଳକର ବିଭିନ୍ନ ସ୍କୁଲକୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୋଗାଣ କରୁଥିଲେ। ଏ ବାବଦକୁ ସେ ୭୪ହଜାର ଟଙ୍କା ପାଇବାର ଥିଲା। ଏହି ବିଲ୍‌ କରିବାକୁ ସାମାଜିକ ଶିକ୍ଷା ସଂଯୋଜକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଏନେଇ ଗତ ୨୦୧୪ ଜୁଲାଇ ୨୨ ତାରିଖରେ ବ୍ରହ୍ମପୁର ଭିଜିଲାନ୍‌ସ ଏସ୍‌.ପି.ଙ୍କୁ ଜଣାଇ ଥିଲେ। ଯୋଜନା ଅନୁଯାୟୀ ପରଦିନ ବ୍ଳକ କାର୍ଯ୍ୟାଳୟକୁ ଯାଇ ଅଭିଯୋଗକାରୀ ଶ୍ରୀ ସାହୁ ଟଙ୍କା ଦେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍‌ସ ଟିମ୍ ଚଢଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଶ୍ରୀ ଦେଶିନାୟକଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସମୁଦାୟ ୯ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର