ପୂର୍ବତନ ମୃତ୍ତିକା ସଂରକ୍ଷଣ ନିରୀକ୍ଷକଙ୍କୁ ୪ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିନଲାନ୍ସ ଜଜ ଶନିବାର ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ନିରୀକ୍ଷକ ରବିରତ୍ନ କାରିଆଲି (୬୭)ଙ୍କୁ ୪ ବର୍ଷ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। କୋର୍ଟ ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ରବିରତ୍ନ କାରିଆଲି ସୁନ୍ଦରଗଡ଼ ଜିଲ୍ଲା ଅଧୀନ ଲହୁଣୀପଡ଼ାରେ ମୃତ୍ତିକା ସଂରକ୍ଷଣ ପାଇଁ କାମ କରୁଥିବା ଏକ ସଂସ୍ଥାରେ କାର୍ଯ୍ୟରତ ଥିଲେ। ୨୦୧୬ ମସିହାରେ ଜିଲ୍ଲାର ଲହୁଣୀପଡ଼ା ଥାନା ଅଧୀନ ଶ୍ରଦ୍ଧାପୁର ଦେଓପୋଷ ଗାଁର ଭୋଲେଶ୍ବର ମହାନ୍ତଙ୍କ ପୁଅ ଦିବାକର ମହାନ୍ତ ଏକ ଠିକା କାମ କରିଥିଲେ। ଦିବାକର ନିର୍ମାଣ କାମ ଜେସିବିରେ କରିଥିବାରୁ ଶ୍ରୀ କାରିଆଲି ଏହାର ଶେଷ ବିଲ୍‌କୁ ଅନୁମୋଦନ ଦେଉନଥିଲେ। ଜବାବରେ ସେ ଏହି ପ୍ରକଳ୍ପର ଅନ୍ତିମ ବିଲ କରିବାକୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ତେବେ ଏନେଇ ଶ୍ରୀ ମହାନ୍ତ ଭିଜିଲାନ୍ସ ବିଭାଗରେ ଘଟଣା ସଂପର୍କରେ ଅବଗତ କରିଥିଲେ। ଶେଷରେ ଯୋଜନା ଅନୁସାରେ ଶ୍ରୀ କାରିଆଲି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଥିଲେ। ଆଜି ଭିଜିଲାନ୍ସ କୋର୍ଟ ମାମଲାର ପ୍ରମାଣ ଆଧାରରେ ଶ୍ରୀ କାରିଆଲିଙ୍କୁ ଦଣ୍ଡ ଶୁଣାଇଛନ୍ତି। ୪ ବର୍ଷ ଜେଲ ଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଭାବେ ୧ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ରାଉରକେଲା ଭିଜିଲାନ୍ସ ଶାଖାର ପୂର୍ବତନ ଇନ୍‌ସପେକ୍ଟର ପ୍ରଦୀପ କୁମାର ଆଇନ୍ଦ ତଦନ୍ତ କରିଥିଲେ। ଭିଜିଲାନ୍ସ ଓକିଲ ଶ୍ୟାମ ସୁନ୍ଦର ମିଶ୍ର ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର