ବ୍ରହ୍ମପୁର : ଏକ ଲାଞ୍ଚ ଗ୍ରହଣ ମାମଲାରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ପୂର୍ବତନ ଟ୍ୟାକ୍ସ କଲେକ୍ଟର ଧରଣୀଧର ସ୍ବାଇଁ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡା.ଅରୁଣ କୁମାର ସାହୁ ଏହି ମାମଲା ଶୁଣାଣି କରି ଆଜି ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ହେଲେ ଅଧିକ ୧ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।
ସୂଚନା ମୁତାବକ,୨୦୧୬ମସିହାରେ ଗୋସାଇଁ ନୂଆଗାଁ ଅଞ୍ଚଳର ଶଙ୍କର ପାଣିଗ୍ରାହୀ ନିଜ ଘରର ହୋଲ୍ଡିଂ ଟ୍ୟାକ୍ସ ମ୍ୟୁଟେସନ୍ ପାଇଁ ବିଏମ୍ସି କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ସେତେବେଳର ବିଏମ୍ସି ଟ୍ୟାକ୍ସ କଲେକ୍ଟର ଧରଣୀଧର ସ୍ୱାଇଁ ଆବେଦନକାରୀଙ୍କୁ ୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଲାଞ୍ଚ ଟଙ୍କା ଗ୍ରହଣ କରି ଧରାପଡ଼ିଥିଲେ ଶ୍ରୀ ସ୍ବାଇଁ। ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ପରେ ସେ ସର୍ତ୍ତମୂଳକ ଜାମିନ ପାଇଥିଲେ।