ରାଜନୈତିକ ବିବାଦରୁ ଗୁଳିକାଣ୍ଡ, ପୂର୍ବତନ ଓ୍ଵାର୍ଡମେମ୍ବର୍‌ ମୃତ

ଶେରଗଡ : ରାଜନୈତିକ ଶତ୍ରୁତାରୁ ଗଞ୍ଜାମ ଶେରଗଡ଼ ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ଜଣେ ପୂର୍ବତନ ଓ୍ଵାର୍ଡମେମ୍ବର। ପୂର୍ବତନ ସରପଞ୍ଚ ଥିବା ତାଙ୍କର ଜଣେ ବନ୍ଧୁ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ମୃତ ଯୁବକ ହେଉଛନ୍ତି ଯୋଗେନ୍ଦ୍ର ସ୍ୱାଇଁ (୪୦ବର୍ଷ)। ଗତକାଲି ରାତି ସାଢେ ୧୧ଟା ସମୟରେ ଯୋଗେନ୍ଦ୍ର ସ୍ଥାନୀୟ ନୂଆସାହି ଛକ ନିକଟରେ ଠିଆହୋଇ କିଛି କାଉଡ଼ିଆଙ୍କ ସହ କଥା ହେଉଥିବା ବେଳେ ଅଚାନକ ଗୁଳିମାଡ଼ ହୋଇଥିଲା। ଆଗପଛ ହୋଇ ଦୁଇ ଜଣ ଯୁବକ ତାଙ୍କ ପାଖକୁ ଆସିଥିଲେ। ପଛରେ ଥିବା ଯୁବକ ମାର୍‌ ବୋଲି କହିବା ମାତ୍ରେ ଆଗରେ ଥିବା ଯୁବକ ଅତର୍କିତ ୨ ରାଉଣ୍ଡ୍‌ ଗୁଳି ଚଳାଇଥିଲା। ଏହି ସମୟରେ ପୂର୍ବ ପ୍ରସ୍ତୁତ ରହିଥିବା ଅନ୍ୟ ଜଣେ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚିବା ପରେ ତିନି ଜଣ ଆଖି ପିଛୁଳାକେ ଦ୍ରୁତ ଗତିରେ ଖାସ୍‌ପା-କୁରୁଳା ରାସ୍ତାରେ ଉଭାନ୍‌ ହୋଇଯାଇଥିଲେ।

ଗୁଳିମାଡ଼ରେ ଆହତ ଯୋଗେନ୍ଦ୍ରଙ୍କୁ ପ୍ରଥମେ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ବିଶାଖାପାଟଣା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପଛରେ ଯୋଗେନ୍ଦ୍ରଙ୍କର ଏକଦା ବନ୍ଧୁ ତଥା ପୂର୍ବତନ ସରପଞ୍ଚ ଶିବରାମ ସେଠୀଙ୍କ ହାତ ରହିଥିବା ଜଣାପଡ଼ିଛି। ମୃତ ଯୋଗେନ୍ଦ୍ରଙ୍କ ପୁଅ ଶୁଭମ ମଧ୍ୟ ଶିବରାମ ଏବଂ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ନାମରେ ଏତଲା ଦେଇଛନ୍ତି। ଶିବରାମ ଜଣେ ପୂର୍ବତନ ସରପଞ୍ଚ ଏବଂ ଉଭୟ ଏକଦା ଅନ୍ତରଙ୍ଗ ବନ୍ଧୁ ଥିଲେ। ହେଲେ ମୋଡ଼ ଏମିତି ବଦଳିଲା, ପାଞ୍ଚ ବର୍ଷ ଭିତରେ ସେମାନେ ପରସ୍ପର ପରମ ଶତ୍ରୁ ପାଲଟି ଗଲେ। ଏହା ମଧ୍ୟରେ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ବରାବର ସଂଘର୍ଷ, ଆକ୍ରମଣ, ଗୁଳିମାଡ଼, ଅପହରଣ ଉଦ୍ୟମ ଘଟିବା ସହ ଛକାପଞ୍ଝା ଲାଗି ରହିଥିଲା। ଉଭୟଙ୍କ ନାମରେ ଏକାଧିକ ମାମଲା ରହିଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର